ଜୁଏଲର୍ସ ମାମଲିକଙ୍କୁ ଟାର୍ଗେଟ୍ କରି ଗୁଳି: ଖୋକା ଜବତ, ଲୁଟ୍ ଉଦ୍ୟମ ସନ୍ଦେହ

ପାଟପୁର: ଅପରାଧପ୍ରବଣ ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅପରାଧୀ ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଛି। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ବିଶୃଙ୍ଖଳାକାରୀଙ୍କୁ ୧୦୭ ଓ ୧୧୦ ସିଆରପିସିରେ ନୋଟିସ୍ ଜାରି ହୋଇଛି। ତଥାପି ଅପରାଧୀ ଓ ଲୁଟେରା କିଭଳି ଖୁଲମ୍‌ଖୁଲା ଆତଙ୍କ ଜାରି ରଖିଛନ୍ତି, ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାଟପୁର ଥାନା ଇଲାକାରେ। ‌ତପ୍ତପାଣି ରୋଡ଼୍ ତଥା ଡେଙ୍ଗାଓସ୍ତା-ଧରମପୁର ରାସ୍ତାରେ କିଛି ଦୁର୍ବୃତ୍ତ ଜଣେ ସୁନା ଦୋକାନ ମାଲିକଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଛନ୍ତି। ତେବେ ଏଥିରୁ ସ‌େ ବର୍ତ୍ତି ଯାଇଥିବା ବେଳେ ଆଜି ଅଭିଯୋଗ ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନ୍‌ଭିନ୍ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ ହୋଇଛି।

ମିଳିଥିବା ସୂଚନାନୁସାରେ, ଧରମପୁର ଗ୍ରାମବାସିନ୍ଦା ପ୍ରଶାନ୍ତ ପାତ୍ର ଡେଙ୍ଗାଉସ୍ତା ମୁଖ୍ୟରାସ୍ତାରେ ସୁନା ଦୋକାନ (ପ୍ରିୟଦର୍ଶିନୀ ଜୁଏଲର୍ସ) କରିଛନ୍ତି। ସବୁଦିନ ଭଳି ଗତକାଲି ବି ସେ ରାତିରେ ଦୋକାନ ବନ୍ଦ କରି ବାଇକ୍‌ରେ ଘରକୁ ଫେରୁଥିଲେ। ଏ ସମୟରେ ଧରମପୁର ଗ୍ରାମଠୁ କିଛି ଦୂର ନିଛାଟିଆ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଲକ୍ଷ୍ୟ କରି ହଠାତ୍ ଗୁଳିମାଡ଼ କରି ହାତରୁ ଏକ ବ୍ୟାଗ୍ ଛଡ଼ାଇନେବା ସହ ଦ୍ରୁତ ଗତିରେ ଚମ୍ପଟ୍ ମାରିଥିଲେ। କିନ୍ତୁ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା, ପ୍ରଶାନ୍ତ ବର୍ତ୍ତି ଯାଇଥିଲେ। ପ୍ରଶାନ୍ତ ଭୟଭୀତ ହୋଇ ବାଇକ୍‌ର ବେଗକୁ ବଢ଼ାଇ ଘରକୁ ପଳାଇ ଆସିଥିଲେ। ଆଜି ସକାଳେ ପାଟପୁର ପୁଲିସକୁ ସୂଚନା ଦେଇଥିଲେ। ଲୁଟ୍‌ ହୋଇଥିବା ବ୍ୟାଗ୍‌ରେ କେବଳ କିଛି ଚାବି ପେନ୍ଥା ଥିଲା ବୋଲି ପ୍ରଶାନ୍ତ କହିଛନ୍ତି। ଆଜି ସକାଳେ ପାଟପୁର ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରିଛି। ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ତେବେ ଦୁର୍ବୃତ୍ତ ମାନେ ଲୁଟ୍ ଉଦ୍ଦେଶ୍ୟରେ ନା, ଅନ୍ୟ କୌଣସି କାରଣରୁ ଗୁଳିମାଡ଼ କରିଥିଲେ ଏ ନେଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର