ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳର ଛୋଟ ଛୋଟ ପିଲା ମାନଙ୍କୁ ଏବେ ଆଖି ରୋଗ ହେଉଥିବା ଦେଖିବାକୁ ମିଳିଛି l ମୁଖ୍ୟତଃ ହୋଷ୍ଟେଲ ପିଲାଙ୍କ ନିକଟରେ ଏହିି ରୋଗ ଏବେ ବ୍ୟାପିବାରେ ଲାଗିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଷ୍ଟେଲ ଗୁଡ଼ିକରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରାଯାଉଥିବା ଜଣାପଡିଛି l

Advertisment

ସୂଚନା ଅନୁଯାୟୀ ସ୍ଥାନୀୟ ବ୍ଲକର ମହଣ୍ଡ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହୋଷ୍ଟେଲ ରେ ମୋଟ ୧୦୦ ପିଲା ରହି ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୩୪ ପିଲାଙ୍କୁ ଆଖି ରୋଗ ଆକ୍ରାନ୍ତ ହୋଇଥିବା ଜଣାପଡିଛି l ଗତ ଦୁଇ ତିନି ଦିନ ପୂର୍ବେ ଦୁଇଜଣଙ୍କ ନିକଟରେ ଏହିି ରୋଗ ଦେଖା ଦେଇଥିଲା l ଗତକାଲି ଏହାର ସଂଖ୍ୟା ବଢିବା ଫଳରେ ବିଦ୍ୟାଳୟ କର୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲେ | ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଉକ୍ତ ହୋଷ୍ଟେଲରେ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆଖି ରୋଗରେ ଆକ୍ରାନ୍ତଙ୍କୁ ଔଷଧ ପ୍ରଦାନ କରାଯାଇଛି |

ସେହିଭଳି ନୂଆପାରା ଆଶ୍ରମ ବିଦ୍ୟାଳୟର ହୋଷ୍ଟେଲ ପିଲାଙ୍କୁ ମଧ୍ୟ ଆଖି ରୋଗ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି | ଏହି ହୋଷ୍ଟେଲରେ ମୋଟ ୬୪୫ ପିଲା ରହି ପାଠ ପଢୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୨ ପିଲାଙ୍କୁ ଆଖି ରୋଗ ଆକ୍ରାନ୍ତ ଥିବା ଜଣାପଡିଛି | ଗତକାଲି ୬୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୯୯ ଜଣ ପିଲାଙ୍କ ନିକଟରେ ଆଖି ଧରା ରୋଗ ଚିହ୍ନଟ ହୋଇଛି | ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବା ଫଳରେ ସ୍ଥାନୀୟ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି | ଗତକାଲି ଠାରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ସହିତ ସମସ୍ତ ପିଲାଙ୍କୁ ଆଈ ଡ୍ରପ ଓ ଆଣ୍ଟିବାୟୋଟିକ ଔଷଧ ପ୍ରଦାନ କରାଯାଇ ସେମାନଙ୍କୁ ଅଲଗା ରହିବାକୁ କୁହା ଯାଇଛି l ହାଟଭରାଣ୍ଡି ଚିକିତ୍ସା ଅଧିକାରୀ ଡ଼ଃ ଦଶରଥ ନାଗ ନିଜେ ହୋଷ୍ଟେଲ ପରିଦର୍ଶନରେ ଯାଉଥିବା ବେଳେ ଏହି ରୋଗ ପାଇଁ ବ୍ୟସ୍ତ ନ ହୋଇ ନିୟମିତ ଔଷଧ ଓ ସାନିଟାଇଜର୍ ବ୍ୟବହର କରିବାକୁ ପରାମର୍ଶ ଦେଇଛନ୍ତି l