ଫୁଲବାଣୀ:ଗଂଜେଇ ଚଢାଉ ସମୟରେ ନକଲି ପୁଲିସ ଭାବି କ୍ରାଇମବ୍ରାଞ୍ଚ ଟିମକୁ ମାଡ ମାରିବା ଘଟଣାରେ ପୁଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି।
ଏପଟେ ମାଡ ମାରିବାକୁ ଗ୍ରାମବାସୀ ଅସ୍ବୀକାର କରିଛନ୍ତି। ବଡି ଭୋରରୁ ଗାଁରେ ପଶି କେତେ ଜଣଙ୍କ ଘରର କବାଟ ବାଡେଇ ଥିଲେ। ପ୍ରତିବାଦ କରିବାକୁ ସେମାନେ ଦୁର୍ବ୍ୟବହାର କରିଥିଲେ। ସେମାନେ ନକଲି ପୁଲିସ ବୋଲି ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲୁ। ଗିରଫଦାରୀକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଯଦି ପୁଲିସ କାହାରିକୁ ଗିରଫ କଲେ ପରିସ୍ଥିତି ଭୟାବହ ହେବ ବୋଲି କାକେନ୍ଦ୍ରି ଗ୍ରାମବାସୀ ସତର୍କ କରାଇ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ପ୍ରଶାନ୍ତ କୁମାର ଭୋଇ ଓ ମହିଳା ଡିଏସପି ବିଳାସିନୀ ନାୟକଙ୍କ ନେତୃତ୍ବରେ ସତ୍ୟାନନ୍ଦ ରାଉତ, ଅରୁଣ କୁମାର ନାୟକ, ଗଣେଶ୍ବର ନାୟକ, ଶରତ କୁମାର ବେହେରା ଓ ଶୁଭେନ୍ଦୁ କୁମାର ଦାସ ପ୍ରମୁଖ ଗତକାଲି ବଡିଭୋରରେ ବୌଦ୍ଧ ପଟୁ ଆସି ସଦର ଥାନା କାକେନ୍ଦ୍ରି ଗାଁରେ ଗଂଜେଇ ଚଢାଉ କରିଥିଲେ।
କିଛି ଗ୍ରାମବାସୀ ଚଢାଉକୁ ବିରୋଧ କରିଥିଲେ। ହେଲେ ଟିମ ଚଢାଉ ଜାରି ରଖିଥିଲା। ଗ୍ରାମବାସୀ ଏକତ୍ରିତ ହୋଇ ଜବତ ଗଂଜେଇ ସହ ଗାଡିରେ ଥିବା ଜିନିଷ ପତ୍ର ଛଡାଇ ନେଇଥିଲେ। ତାପରେ ଟିମକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏମିତି କି ଦୁଇ ଜଣଙ୍କୁ ଗଛରେ ବାନ୍ଧି ପିଟିବାକୁ ପଛାଇ ନଥିଲେ। ଆକ୍ରମଣରେ ଡିଏସପି ଶ୍ରୀ ଭୋଇଙ୍କ ସମେତ ସମସ୍ତେ ଆହତ ହୋଇଥିଲେ। ଖବର ପାଇଁ କନ୍ଧମାଳ ପୁଲିସ ଗାଁରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭୁବନେଶ୍ବର ପଠାଇ ଦିଆଯାଇଥିଲା।
ଏଠାରେ ପ୍ରଶ୍ନ ଉଠୁଛି। କ୍ରାଇମବ୍ରାଞ୍ଚ କନ୍ଧମାଳକୁ ପ୍ରବେଶ ପୂର୍ବରୁ ପୁଲିସକୁ ଖବର ଦେବା କଥା। ହେଲେ ପୁଲିସକୁ ନ ଜଣାଇ ଚଢାଉ କରିବା କେତେ ଦୂର ସମୀଚୀନ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇଥିଲେ ଏଭଳି ଅଭାବନୀୟ ଘଟଣା କେବେ ଘଟି ନଥାନ୍ତା ବୋଲି କୁହାଯାଉଛି। କନ୍ଧମାଳ ପୁଲିସ ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଉଚିତ ମନେ କରୁ ନଥିବା ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/plbjan6-crimebranch-team-in-kakendri-gaon.jpg)