ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ, ୩ ଅଟକ

ଆଠଗଡ଼: ସୋମବାର ରାତ୍ରିରେ ଆଠଗଡ଼ ମୁଣ୍ଡଳି ରାସ୍ତାର ଆଠଗଡ଼ ଥାନା ଅନ୍ତର୍ଗତ ଛପନର ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଥିଲା। କଟକରୁ ଆଠଗଡ଼ ଅଭିମୁଖେ କାର (ଓଡ଼ି୦୨ଏଜି୨୭୬୭) ଯୋଗେ ୨ଜଣ ଆସୁଥିବା ବେଳେ ଘଟଣାସ୍ଥଳରେ କାରଟି ଗଛକୁ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତୁରନ୍ତ ଆହତ ଦ୍ୱୟଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଆହତଦ୍ୱୟ ଗୁରୁତର ହୋଇପଡ଼ିଥିଲେ। ଆହତଙ୍କ ମଧ୍ୟରୁ ଢ଼େଙ୍କାନାଳ ବାଙ୍କୁଆଳର ହରିଆ ସ୍ୱାଇଁଙ୍କ ପୁତ୍ର ସନ୍ତୋଷ ସ୍ୱାଇଁ (୩୮)ଙ୍କୁ ୧୦୮ ଯୋଗେ କଟକ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟ ଆହତଙ୍କ କେହି ଆତ୍ମୀୟ ପହଞ୍ଚି ନଥିବାରୁ ବିଳମ୍ବରେ ଏକ ଘରୋଇ ଆମ୍ବୁଲାନ୍ସରେ ବାଙ୍କୁଆଳର ବଟକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଞ୍ଜନ ବିଶ୍ୱାଳ (୩୪)ଙ୍କୁ କଟକ ପଠାଯାଇଥିଲା। ମାତ୍ର ଅଧାବାଟରେ ରଞ୍ଜନଙ୍କ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ପୁର୍ନବାର ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା। ମଙ୍ଗଳବାର ଦିନ ସକାଳେ ରଞ୍ଜନଙ୍କ ସମ୍ପର୍କୀୟ ରଞ୍ଜନଙ୍କ ଚିକିତ୍ସାରେ ଅବହେଳା କରାଯାଇ ଥିବା ଅଭିଯୋଗ କରି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଅଲେଖ ବୋଷଙ୍କୁ ଘୋଷାଡି ଆଣି ମାଡ ମାରିଥିଲେ।

ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟିକାର୍ଡ ଓ ଅନ୍ୟମାନେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ଏ ବିଷୟରେ ଅଲେଖ ଆଠଗଡ଼ ମେଡିକାଲ ସୁପରିଟେଣ୍ଟଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଆଠଗଡ଼ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ରଞ୍ଜନଙ୍କ ଭିଣୋଇ ରାମଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ସନ୍ତୋଷ ସ୍ୱାଇଁ (୩୭) ଓ ରଞ୍ଜନଙ୍କ ୨ ପୁତୁରା ଖୋର୍ଦ୍ଧା ବାଲିଅନ୍ତ ଥାନାର ବେଣୁଧର ମହାରଣାଙ୍କ ପୁତ୍ର ରାମଚନ୍ଦ୍ର ମହାରଣା (୩୫) ଓ ଦାମୋଦର ମହାରାଣା (୨୯) ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର