ଜୟପୁର: ରବିବାର ସଂଧ୍ୟା ସାଢ଼େ ୮ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣୀପୁଟ ଗାଁରେ ପୂର୍ବରୁ ଲାଗି ରହିଥିବା ଜମି ବିବାଦକୁ ନେଇ ହୋଇଛି ମରଣାନ୍ତକ ଆକ୍ରମଣ। ଏଥିରେ ଅଭିଯୋଗକାରୀ ସୁନାଧର ବଡପାଡିଆ, ତାଙ୍କ ଭାଇ ପଦୁ ବଡପାଡିଆ ଓ ମା ଡମାଇ ବଡପାଡିଆ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପଦୁ ବଡପାଡିଆଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ମାମଲାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାରପିଟରେ ବ୍ୟବହୃତ ଲୁହା ଛଡ, କାତି ଆଦି ମାରଣାତ୍ସ ଆଦି ଜବତ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

Advertisment

ମିଳିଥିବା ସୂଚନା ମୁତାବକ, ଜୟପୁର ବ୍ଲକର ବାମୁଣିପୁଟ ଗାଁର ସୁନାଧର ବଡପାଡିଆ ନିଜ ଘର ପାର୍ଶ୍ବରେ ଏକ ପକ୍କା ଘର ନିର୍ମାଣ କାମ ଆରମ୍ଭ କରିଛନ୍ତି । ଏହି ନୂଆ ନିର୍ମାଣ କରୁଥିବା ଘର ନିକଟରେ ତାଙ୍କ ସଂପର୍କୀୟ ଭାଇ ଅର୍ଥାତ ଡମ୍ବୁର ବଡପାଡିଆଙ୍କ ତିନି ପୁଅ ମହେଶ ବଡପାଡିଆ, ନାରାୟଣ ବଡପାଡିଆ, ସୁନ୍ଦର ବନପାଡିଆଙ୍କ ଘର ବି ରହିଛି। ଏମାନେ ଏହି ଘର ନିର୍ମାଣକୁ ବିରୋଧ କରି ସୁନାଧରଙ୍କ ସହ ଗଣ୍ଡଗୋଳ କରିଥିଲେ। ପରେ ତିନି ଭାଇ ଉତ୍ତ୍ୟକ୍ତ ହୋଇ ଲୁହା ଛଡ, କାତି ଆଦି ମାରଣାତ୍ସ ନେଇ ସୁନାଧରଙ୍କ ଘର ମଧ୍ୟକୁ ପଶି ସୁନାଧର , ଭାଇ ପଦୁ ଓ ମା ଡମାଇଙ୍କୁ ଆକ୍ରମଣ କରିଥିଲେ। ମାରପିଟ୍ କରିବା ସହ ମରିଚ ଗୁଣ୍ଡ ମଧ୍ୟ ଏମାନଙ୍କ ଉପରକୁ ପକାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସୁନାଧର।

ଏହି ମାରପିଟରେ ଡମାଇ, ସୁନାଧର ଓ ପଦୁ ଗୁରୁତର ଆହତ ହୋଇଥିଲେ। ରାତିରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସି ଭର୍ତ୍ତି ହୋଇଥିଲେ। ପଦୁ ବଡପାଡିଆଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ପୁଲିସ ଏହି ମାମଲାର ତଦନ୍ତ କରି ପାରିବାରିକ ଜମି ବିବାଦକୁ ନେଇ ଏଭଳି ହୋଇଥିବା ତଦନ୍ତରେ ଜାଣିବାକୁ ପାଇଛି। ମରଣାନ୍ତକ ଆକ୍ରମଣ କରିଥିବାରୁ ୩ଜଣ ଅଭିଯୁକ୍ତ ମହେଶ, ନାରାୟଣ ଓ ସୁନ୍ଦରଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ତିନି ଅଭିଯୁକ୍ତଙ୍କୁ କୋର୍ଟ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ର ଜେଲକୁ ପଠାଇ ଦେଇଥିବା କହିଛନ୍ତି ସଦରଥାନା ଅଧିକାରୀ।