ରାଜନୈତିକ ହିଂସାକାଣ୍ଡ: ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ଗ୍ରାମ ଏବଂ ଦେଓଖାଳି ଛକଠାରେ ଶୁକ୍ରବାର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି। ଦୁଇ ଜଣ ଯୁବକଙ୍କୁ ହାଣିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ତିନିରୁ ଚାରି ଜଣ ଦୁର୍ବୃତ୍ତ ପ୍ରଥମେ କରପଡା ଗ୍ରାମରେ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ରରେ ବିଜୟ କୁମାର ସେଠୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଏକ ମୋଟର ସାଇକେଲ ଯୋଗେ ଦେଓଖାଳି ଛକରେ ଜଣେ ଜୁସ୍‌ ଦୋକାନୀ କୃଷ୍ଣ ସାହୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଆକ୍ରମଣର ଶିକାର ହୋଇଥିବା ଉଭୟ କୃଷ୍ଣ ସାହୁ ଓ ବିଜୟ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବମକେଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ନୂଆଗାଁ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି। ଦେଓଖାଳି ଛକଠାରେ ଏକ ପ୍ଲାଟୁନ ଏବଂ କରପଡା ଗ୍ରାମରେ ଏକ ପ୍ଲାଟୁନ ପୁଲିସ ମୃତୟନ ହୋଇଥିବା ନୂଆଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହା ଏକ ରାଜନୈତିକ ହିଂସାକାଣ୍ଡ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର