ଗ‌ଞ୍ଜେଇ କାରବାରରୁ ଯୁବକଙ୍କୁ ଭୁଜାଲିରେ ହାଣିଲେ; ଲକ୍ଷ୍ୟଚ୍ୟୁତ ହୋଇଗଲା ୨ ରାଉଣ୍ଡ୍ ଗୁଳିମାଡ଼, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଶିକୁଳା ଗ୍ରାମରେ ଆଜି ଗଞ୍ଜେଇ କାରବାରକୁ କେନ୍ଦ୍ର କରି ହିଂସା ଦେଖାଦେଇଛି। ନିରଞ୍ଜନ ମହାରଣା (୩୨) ନାମକ ଜଣେ ଯୁବକ ଯୁବକଙ୍କୁ କିଛି ଦୁର୍ବୃତ୍ତ ଭୁଜାଲିରେ ଗୋଡ଼ାଇ ହାଣିବା ସହ ତାଙ୍କ ଉପରକୁ ୨ ରାଉଣ୍ଡ୍ ଗୁଳିମାଡ଼ କରିଛନ୍ତି। ତେବେ ସୌଭାଗ୍ୟଗବଶତଃ ଗୁଳି ଲକ୍ଷ୍ୟଚ୍ୟୁତ ହୋଇ ନିରଞ୍ଜନଙ୍କ ଦେହରେ ବାଜି ନାହିଁ। ପୁରୁଷୋତ୍ତମପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁସାରେ, ଶିକୁଳା ଗ୍ରାମର କାଶୀନାଥ ମହାରଣାଙ୍କ ସାନପୁଅ ନିରଞ୍ଜନ ଓରଫ୍ କୋକି ଆଜି ସକାଳୁ ଉଠି ଗ୍ରାମର ଲିଆଖାଇ ଛକକୁ ଯାଉଥି‌ଲେ। ଏହି ସମୟରେ ଶିକୁଳା ଓ ନିକଟସ୍ଥ ବାଦପଲ୍ଲୀ ଗ୍ରାମର ୫ ଜଣ ଦୁର୍ବୃତ୍ତ ତାଙ୍କୁ ଦେଖିବାକ୍ଷଣି ସଂଘବଦ୍ଧ ଭାବେ ଭୁଜାଲିରେ ଆକ୍ରମଣ କରିଥିଲେ। ନିରଞ୍ଜନ ଜୀବନ ବଞ୍ଚାଇବାକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୌଡ଼ୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ୍ ଗୁଳିମାଡ଼ କରିଥିଲେ। ଗୁଳି ତାଙ୍କ ଦେହରେ ବାଜି ନଥିଲା। ଗ୍ରାମବାସୀ ଗୁଳି ଶଦ୍ଦ ଶୁଣି ସେଠାରେ ପହଞ୍ଚିବା କ୍ଷଣି ୫ ଜଣ ଯୁବକ ଦୁଇଟି ବାଇକ୍‌ରେ ସେଠାରୁ ଚମ୍ପଟ୍ ମାରିଥିଲେ। ନିରଞ୍ଜନଙ୍କୁ ସଂଗେ ସଂଗେ ସେଠାରୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନିଆଯାଇଥିଲା।

ଏହି ଘଟଣା ପରେ ଶିକୁଳା ଗ୍ରାମ ସ୍ତବ୍ଧ ପାଲଟିଛି। ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ଓ ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି। କେସ୍ ନମ୍ବର ୧୯୨/୨୩ ଅନୁସାରେ ମାମଲା ରୁଜୁ କରାଯାଇଛି। ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଗତ କିଛିଦିନ ହେଲା ଗ୍ରାମ‌ରେ ଜୁଆଆଡ଼ା ଓ ଗଞ୍ଜେଇ କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ୪ ଦିନ ତଳେ ନିରଞ୍ଜନ ଓ ଆକ୍ରମଣକାରୀ ଉକ୍ତ ୫ ଜଣ ଯୁବକଙ୍କ ମଧ୍ୟରେ ଟଙ୍କା ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ନିରଞ୍ଜନଙ୍କୁ ହତ୍ୟା ଯୋଜନା ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ସେହିପରି ଜୁଆଆଡ଼ା ଚଳାଇ କିଛି ଯୁବକ କମିସନ ଆଦାୟ କରୁଥିଲେ। ଏହି ଟଙ୍କା ଭାଗବଣ୍ଟାକୁ ନେଇ ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର