ଦଶପଲ୍ଲା: ରଙ୍ଗର ପର୍ବ ହୋଲିକୁ ନେଇ ଗାଁ ଠାରୁ ସହର ସବୁଠାରେ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ବୁଗୁଡା ଠାରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ତ। ମଦପିଇ ଗାଳି କରିବାରୁ ସଂଘବଦ୍ଧ ଭାବେ ଜଣେ ଯବକଙ୍କୁ ଘରେ ପଶି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଗୁଡା କନ୍ୟାଶ୍ରମ ସମ୍ମୁଖରେ ରହୁଥିବା ସରୋଜ କୁମାର ବିଶି (୩୦) ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ମଦପିଇ ଗାଁରେ ଗାଳିମନ୍ଦ କରୁଥିଲେ। ଏହି ସମୟରେ ବଙ୍କତଳା ଗ୍ରାମର ଜଣେ ଯୁବକ ବୁଗୁଡା ଆସିଥିବା ବେଳେ ସରୋଜ ତାଙ୍କୁ ଗାଳିମନ୍ଦ କରିବା ସହ ତାଙ୍କ ବାଇକର ଡିକିକୁ ଏକ ଟାଙ୍ଗିଆରେ ବାଡେଇ ଭାଙ୍ଗି ଦେଇଥିଲେ। ଏହାଦେଖି ସରୋଜଙ୍କ ସାନଭାଇ ତପନ ଛଡାଇ ଯାଇଥିବା ବେଳେ ତାଙ୍କୁ ମଧ୍ୟ ସେ ଟାଙ୍ଗିଆରେ ଆକ୍ରମଣ କରିଥିଲେ।

Advertisment

ଏହାପରେ ବଙ୍କତଳା ଗ୍ରାମର କିଛି ବ୍ୟକ୍ତି ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ ପ୍ରବଳ ମାଡ କାରିଥିବା କୁହାଯାଉଛି। ଯାହାକୁ ଗ୍ରାମବାସୀ ସହ୍ୟ ନକରି ବିରୋଧ କରିଥିଲେ। ଏହାପରେ ଘଟଣାର ସମାଧାନ ହୋଇଥିଲା। ସରୋଜଙ୍କ ପରିବାର ଲୋକ ବୁଗୁଡାରେ ରହୁଥିବା ବେଳେ ସେ କନ୍ୟାଶ୍ରମ ସମ୍ମୁଖରେ ଏକାକି ରୁହନ୍ତି। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ଦୈନିକ ଖାଇପିଇ ସାରି ଏଠାରେ ରୁହନ୍ତି। ଯାହାକି ଗତକାଲି ରାତିରେ ମଧ୍ୟ ସେ ଘରୁ ଖାଇପିଇ ଆସି ଶୋଇଥିଲେ। ସକାଳୁ ଘର କବାଟ ଖୋଲା ହୋଇନଥିଲା। କାମସାରି ପରିବାର ଲୋକ ଘରକୁ ଆସି କବାଟ ଖୋଲିବା ସମୟରେ ସେ ରକ୍ତ ଜୁଡୁବୁଡୁ ହୋଇ ମୃତ୍ୟୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। କିଭଳି ଓ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଛି ତାହାର ଅନୁଧ୍ୟାନ କରିବା ସହ ଆସନ୍ତାକାଲି ସାଇଣ୍ଟିଫିକ ଟିମ୍ ଆସିବ ବୋଲି କୁହାଯାଇଛି।