ପଞ୍ଚାୟତ ନିର୍ବାଚନର ବର୍ଷକ ପରେ ହିଂସା: ଜୟପୁରରେ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଜୟପୁର: ଗତ ବର୍ଷକ ତଳେ ସରିଥିଲା ପଞ୍ଚାୟତ ନିର୍ବାଚନ। ବୈପାରଗୁଡା ବ୍ଲକର ଦଶମନ୍ତପୁର ପଞ୍ଚାୟତର ସରପଞ୍ଚ ଆର୍.ରୋହିତ କୁମାର ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରି ସରପଞ୍ଚ ହୋଇଥିବାକୁ ନେଇ ଏମ୍ . ଅଶୋକ କୁମାର ଜିଲ୍ଲାପ୍ରଶାସନ ନିକଟରେ ଅଭ‌ିଯୋଗ କରିଥିଲେ। ଏହାକୁ ନେଇ ଗତ ମାର୍ଚ୍ଚ ୪ତାରିଖ ଦିନ ବି ଏମ. ଅଶୋକ କୁମାରଙ୍କ ଉପରେ ଆକ୍ରମଣ ‌ହୋଇଥିଲା। ଏ ନେଇ ବୈପାରୀଗୁଡା ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଶୋକ ଗାନ୍ଧୀଛକରେ ଥିବା ଏକ ଗ୍ୟାରେଜରେ ନିଜ ଜିପର ଯନ୍ତ୍ରାଂଶ ମରାମତି କରୁଥିବା ବେଳେ ଅଚାନକ ଭାବେ ସରପଞ୍ଚଙ୍କ ସମ୍ପର୍କୀୟ ଓ ସମର୍ଥକ ମାନେ ଆସି ତାଙ୍କୁ ଲୁହା ରଡରେ ମାରିବା ସହ ତାଙ୍କ ଗୋଡ଼ରେ ପିଟି ପକାଇଥିଲେ। ଏଥିରେ ସେ ରକ୍ତାକ୍ତ ହୋଇପଡ଼ି ତଳେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ଲୋକେ ଜମା ହେବା ପରେ ଘଟଣାସ୍ଥଳରୁ ୪ଜଣ ଖସି ପଳାଇଥିଲେ।

ଏମାନଙ୍କ ମଧ୍ୟରେ ଗତ ମାର୍ଚ୍ଚ ମାସରେ ତାଙ୍କୁ ମାଡ଼ ମାରିଥିବା ୨ଜଣ ବ୍ୟକ୍ତି ରହିଥିବା କହିଛନ୍ତି ଅଶୋକ। ଏ ନେଇ ଜୟପୁର ଟାଉନଥାନା ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ପୂର୍ବରୁ ତାଙ୍କୁ ଦଶମନ୍ତପୁର ସରପଞ୍ଚ ତାଙ୍କ ସମର୍ଥକ ମାନେ ଜୀବନରେ ମାରିବାକୁ ଧମକ ଦେଇଥିଲେ ଏବଂ ଆଜି ଏହା ତାହାର ପ୍ରତିଫଳନ ବୋଲି କହିଛନ୍ତି ଅଶୋକ। ଏ ନେଇ ଜୟପୁର ଟାଉନଥାନାରେ ଏକ ମାମଲା ରୁଜୁ କରାଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର