ଲକ୍ଷ୍ମୀପୁର: ଗାଁର ଶାନ୍ତି ଓ ପ୍ରଗତି ସକାଶେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଆରମ୍ଭ ହୋଇଛି ମୁତ୍ୟାଲୁମା’ଙ୍କ ଘଟଯାତ୍ରା। ଏହି ଯାତ୍ରା ୯ଦିନ ଯାଏଁ ହେବାକୁ ଥିବା ବେଳେ ଆସନ୍ତା ବୁଧବାର ଦିନ ସମାପ୍ତ ହେବ।ଯାତ୍ରାରେ ମନରୋଞ୍ଜନ ନେଇ କମିଟି ତରଫରୁ ଅନେକ ସାଂସ୍କତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ କିଛି ଯୁବପିଢିଙ୍କ ଦ୍ବାରା ଯାତ୍ରା ମହୋତ୍ସବ ଅଶାନ୍ତ ହେଉଛି। ମୁତ୍ୟାଲୁମା ଯାତ୍ରା ଆରମ୍ଭରୁ ଛୁରି ଭୁସାଭୁସି ବନ୍ଦ ହେବାର ନାଁ ଧରୁନି।
ଗତ ସୋମବାର ଦିନ ଜଣେ ଯୁବକଙ୍କୁ ଛୁରା ମାଡ ହୋଇଥିଲା। ଗୁରୁତର ବ୍ୟକ୍ତି ବର୍ତ୍ତମାନ କୋରାପୁଟ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ୫ ଦିନ ହେଲାଣି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଶନିବାର ରାତିରେ କାଣିମୁଷା ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ଛାତ୍ରଟିର ଘର କୁତୁକାଝୋଲା ଗ୍ରାମର ହୋଇଥିବା ବେଳେ ସେ ଯାତ୍ରା ଦେଖିବାକୁ ଆସି ଛୁରାମାଡର ଶିକାର ହୋଇଛି। ତାଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି।
ଛୁରାମାଡର କାରଣ ଏଯାଏଁ ଜଣା ପଡି ନଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଲକ୍ଷ୍ମୀପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡିଛି। ଏନେଇ ଯାତ୍ରା ପଡ଼ିଆରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ଯାତ୍ରାକୁ ନେଇ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଏହିଭଳି ଅପରାଧିକ ଘଟଣା କଣ ପାଇଁ ବଢୁଛି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ସୋମବାର ଦିନ ଜିଲ୍ଲା ପ୍ରସିଦ୍ଧ ଥାନା ନିଆଁ ବ୍ଲକ ପଡ଼ିଆରେ ପ୍ରଦାନ କରାଯିବ। ସେହି ସମୟରେ ହିଁ ମେଲୋଡି କାର୍ଯ୍ୟକ୍ରମ ରହିଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ପୁଲିସ ଭିଡକୁ ନିୟନ୍ତ୍ରଣ କରିବା ସହ କୌଣସି ଅଘଟଣ ଯେମିତି ନହୁଏ ସେଥିପାଇ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।