ଏଆର୍‌ସିଏସ୍‌ଙ୍କୁ ପ୍ରାଣାନ୍ତକ ଆକ୍ରମଣ, କାର୍ଯ୍ୟାଳୟ ଭଙ୍ଗାରୁଜା

ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏତଲା

ଆଠଗଡ଼: ଆଠଗଡ଼ସ୍ଥିତ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆର୍‌ସିଏସ୍‌) ଅଶୋକ କୁମାର ପାଣିଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ପରିସରରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ଅପରାହ୍ଣରେ ବଡ଼ମ୍ବା ବ୍ଲକ୍‌ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଏଆରସିଏସ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚୌକି, ଟେବୁଲ୍‌, ଫୋନ୍‌ ଓ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଶ୍ରୀ ପାଣିଙ୍କ ଉପରକୁ ଚୌକି ଫୋପାଡ଼ି ଥିଲେ। ଫଳରେ ଏଆର୍‌ସିଏସ୍‌ ଶ୍ରୀ ପାଣିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଏ ନେଇ ଏଆର୍‌ସିଏସ୍‌ ଶ୍ରୀ ପାଣି ସମିତିର ସମ୍ପାଦକଙ୍କ ବିରୋଧରେ ଆଠଗଡ଼ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଏହି ସମୟରେ ଗୋପପୁର ସମିତିର ସଭାପତି ଉପସ୍ଥିତ ଥିଲେ। ଉକ୍ତ ଘଟଣା ପରେ ସମ୍ପାଦକ ଓ ସଭାପତି କାର୍ଯ୍ୟାଳୟ ଛାଡ଼ି ଚାଲି ଯାଇଥିଲେ ବୋଲି ଏତଲାରେ ଦର୍ଶାଯାଇଛି। ଖବର ପାଇ ଆଠଗଡ଼ ଥାନା ଆଇଆଇସି ବାମଦେବ ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ଝାଜିଆ ପଞ୍ଚାୟତର ଚାଷୀମାନେ ଗୋପପୁର ସେବା ସମବାୟ ସମିତିରୁ କୃଷିଋଣ ନେଇଥା’ନ୍ତି। ତେବେ ଏହି ପଞ୍ଚାୟତର ଚାଷୀମାନେ ୨୦୧୫ ଫେବ୍ରୁଆରି ୧୩ ତାରିଖ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ (ପତ୍ର ସଂଖ୍ୟା ୧୨୦୦) ଅନୁଯାୟୀ ନିକଟସ୍ଥ ସୁନାପାଳ ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି କରୁଛନ୍ତି। ଚଳିତବର୍ଷ ଗୋପପୁର ସମିତିର ସମ୍ପାଦକଙ୍କ ପରାମର୍ଶରେ ପଞ୍ଚାୟତର ପ୍ରାୟ ୫୦ଜଣ ଚାଷୀ ଧାନ ବିକ୍ରି ପାଇଁ ଗୋପପୁରରେ ନାମ ପଞ୍ଜୀକରଣ କରିଥିଲା ବେଳେ ଅବଶିଷ୍ଟ ଚାଷୀମାନେ ପୂର୍ବଭଳି ସୁନାପାଳ ସେବା ସମବାୟ ସମିତିରେ ପଞ୍ଜିକୃତ ହୋଇଥିଲେ।

ପରବର୍ତ୍ତୀ ସମୟରେ ଗୋପପୁର ସମିତି ମାଧ୍ୟମରେ ଝାଜିଆ ପଞ୍ଚାୟତର ସମସ୍ତ ଚାଷୀ ଧାନ ବିକ୍ରି କରିବା ଲାଗି ଗତ ଜୁଲାଇ ମାସରେ ଜିଲ୍ଲା ଯୋଗାଣ ଅଧିକାରୀ ଓ ଡିଆର୍‌ସିଏସ୍‌ (ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରାର୍‌ ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି)ଙ୍କ ନିକଟରେ ସମ୍ପାଦକ ଲିଖିତ ଭାବେ ଦାବି କରିଥିଲେ। ହେଲେ, ଝାଜିଆ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଚାଷୀମାନେ ସୁନାପାଳ ସମିତିରେ ଧାନ ବିକ୍ରି କରିବେ ବୋଲି ଗତ ସେପ୍ଟେମ୍ବର ମାସରେ ଏଆର୍‌ସିଏସ୍‌ଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ଝାଜିଆରୁ ସୁନାପାଳ କମ ଦୂରତା ଥିଲା ବେଳେ ଗୋପପୁର ଅଧିକ ଦୂର ହେଉଛି ବୋଲି ସେମାନେ ଦର୍ଶାଇଥିଲେ। ଏହି ବିବାଦର ସମାଧାନ ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ଉଭୟ ପକ୍ଷଙ୍କୁ ନେଇ ଏକ ବୈଠକ ହେବାର ଥିଲା। ଏଥିରେ ଯୋଗଦେବା ଲାଗି ଗୋପପୁର ସମିତିର ସମ୍ପାଦକ, ସଭାପତି, ସୁନାପାଳ ସମିତିର ସମ୍ପାଦକ ଓ ସଭାପତି, ଝାଜିଆ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଏଆର୍‌ସିଏସ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସୂଚନା ଦିଆଯାଇଥିଲା। ନିର୍ଦ୍ଧାରିତ ସମୟରେ ସୁନାପାଳ ସମିତି ସମ୍ପାଦକ, ସଭାପତି, ସରପଞ୍ଚ ପ୍ରମୁଖ ପହଞ୍ଚି ଥିଲେ ମଧ୍ୟ ଗୋପପୁର ସମିତି ସମ୍ପାଦକ ଆସି ନ ଥିଲେ। ସୁନାପାଳ ସମିତିର ସମ୍ପାଦକ, ସଭାପତି ଓ ସରପଞ୍ଚ ସେଠାରୁ ଯିବା ପରେ ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ଗୋପପୁର ସମିତି ସମ୍ପାଦକ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ପୁନର୍ବାର ଅପରାହ୍ଣ ୫ଟାରେ ସେ କାର୍ଯ୍ୟାଳୟରେ ପହଞ୍ଚି ଲଙ୍କାକାଣ୍ଡ ଘଟାଇଥିଲେ ବୋଲି ଏଆର୍‌ସିଏସ୍‌ ଅଶୋକ କୁମାର ପାଣି ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର