ରାଜନଗର: ମାଛ ମାରିବାକୁ ଯାଇଥିବା ୨ଟି ବୋଟ୍‌ ଉପରେ ମଝି ସମୁଦ୍ରରେ ଆକ୍ରମଣ କରାଯାଇଛି। ବୋଟକୁ ବୁଡ଼ାଇ ସେଥିରେ ଥିବା ମତ୍ସ୍ୟଜୀବୀଙ୍କୁ ମାରି ଦେବାକୁ ଉଦ୍ୟମ କରାଯିବା ସହ ୪ ମତ୍ସ୍ୟଜୀବୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମତ୍ସ୍ୟଜୀବୀମାନେ ଯେପରି କୂଳକୁ ଆସି ନ ପାରି ସମୁଦ୍ରରେ ବୁଡି ମରିବେ ସେଥିପାଇଁ ବୋଟରୁ ସମସ୍ତ ତେଲ ନଷ୍ଟ କରିଦିଆଯାଇଥିଲା। ଦୀର୍ଘ ୮୦ କିମି ସମୁଦ୍ରରେ ବୋଟ ଭାସି ଭାସି ପାରାଦୀପର ନେହୁରୁ ବଙ୍ଗଳା ପାଖରେ ଲାଗିବା ପରେ ମତ୍ସ୍ୟଜୀବୀମାନେ ଘରକୁ ଫେରିଛନ୍ତି। ଏ ନେଇ ଧାମରା ଥାନାରେ ବୋଟ୍‌ ମାଲିକଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅଭିଯୋଗ ମୁତାବକ, ରାଜନଗର ବ୍ଲକ ଭଞ୍ଜପ୍ରସାଦ ଗାଁର ଚନ୍ଦନ ଆଦକଙ୍କ ୨ ସିଲିଣ୍ତର ବୋଟ୍‌ନେଇ ୨୧ ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏମ.ଜଗନ୍ନାଥ, କେ.ସତୀଶ, ସେକ୍ ରାବନା, କେ.ରାଜୁ ପ୍ରମୁଖ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ବାବୁବାଲିର ବତୀଘରଠାରେ ମାଛ ମାରୁଥିବା ବେଳେ ଗତକାଲି ସକାଳେ ଦଳେଇ ସାହିର ଆଦିତ୍ୟ ପାତ୍ରଙ୍କ ସହିତ ୫ଜଣ ଏକ ବୋଟ ନେଇ ଚନ୍ଦନଙ୍କ ବୋଟ ପାଖରେ ପହଞ୍ଚି ମତ୍ସ୍ୟଜୀବୀଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ। ଲଙ୍ଗର ପଡୁଥିବା ମୋଟା ଦଉଡିରେ ୪ ମତ୍ସ୍ୟଜୀବୀଙ୍କୁ ନିର୍ମମ ଭାବେ ବାଡେଇବା ସହ ତଣ୍ଟିକୁ ଦଉଡ଼ିରେ ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଏପରିକି ଛୁରିରେ ମଧ୍ୟ ଆକ୍ରମଣ କରିଥିଲେ।

Advertisment

publive-image Sambad

ବାରମ୍ବାର ବୋଟ୍‌କୁ ବାଡ଼େଇ ବୁଡାଇ ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ବୋଟ୍‌ରୁ ସମସ୍ତ ତେଲ କାଢି ନଷ୍ଟ କରିଦେଇଥିଲେ। ତେଲ ବାହାରିଯିବା ପରେ ବୋଟ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ସମସ୍ତ ମତ୍ସ୍ୟଜୀବୀଙ୍କ ମୋବାଇଲ ବି ନେଇଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରି ଆସିଥିଲେ। ବାବୁବାଲି ବତୀଘରରୁ ବୋଟ୍‌ଟି ଭାସି ଭାସି ଦୀର୍ଘ ୮୦ କିମି ଜଳପଥରେ ଯିବା ପରେ ପାରାଦୀପ ନେହେରୁ ବଙ୍ଗଳା ପାଖରେ ଲାଗିଥିଲା। ସେଠାରୁ ଅନ୍ୟ ଟ୍ରଲରରେ କାମ କରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରି ବୋଟ ମାଲିକ ଚନ୍ଦନଙ୍କୁ ଖବର ଦେଇଥିଲେ। ଆକ୍ରମଣରେ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। କାହାର ଗୋଡ଼ ଫାଟିଛି ତ, ଆଉ କାହାର ଆଖି ପାଖର କଟା ଚିହ୍ନ ରହିଛି। ସମସ୍ତଙ୍କ ବେକରେ ଦଉଡାରେ ଚିପା ହୋଇଥିବା ଚିହ୍ନ ରହିଛି। ମୁଣ୍ତ ଓ ହାତ ମଧ୍ୟ ଫାଟିଛି। ବୋଟ ମାଲିକ ମତ୍ସ୍ୟଜୀବୀମାନଙ୍କୁ ଆଣି ତାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଛନ୍ତି। ଏହି ଘଟଣାଟି ଜଳପଥରେ ଧାମରା ସାମୁଦ୍ରିକ ଥାନା ଅଂଚଳରେ ଘଟିଥିବାରୁ ଧାମରା ସାମୁଦ୍ରିକ ଥାନାରେ ଚନ୍ଦନ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ କରିଥିବା ଆଦିତ୍ୟ ଚୋରାରେ ତେଲ ବ୍ୟବସାୟ କରନ୍ତି। ତାଙ୍କ ବୋଟରେ ଏହି ୪ଜଣ ମତ୍ସ୍ୟଜୀବୀ ପୂର୍ବରୁ କାମ କରୁଥିଲେ। ସେମାନେ ସେଠାରୁ ବାହାରି ଅନ୍ୟ ଟ୍ରଲରରେ କାମ କରିବା ଯୋଗୁଁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି।