ଭଞ୍ଜନଗର: ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ସହର ଉପକଣ୍ଠ କଳିଙ୍ଗ ନଗରରେ ରହୁଥିବା ଆଇନଜୀବୀ ଅଭାଗିନୀ ବିଷୋୟୀଙ୍କ ଘର ଉପରକୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କିଛି ଦୁବୃର୍ତ୍ତ ଜଣେ ଯୁବକଙ୍କୁ ଆକ୍ରମଣ କରିବା ସମୟରେ ସେ ପ୍ରାଣ ବିକଳରେ ଦୌଡି ଆଇନଜୀବୀଙ୍କ ଘରେ ପଶିଯିବାରୁ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ଭାଇ ଭାଉଜଙ୍କ ସମେତ ତାଙ୍କୁ ଆଘାତ ଲାଗିଥିବା ବେଳେ ତାଙ୍କ ଘର ସାମ୍ନାରେ ଥିବା ଦୁଇଟି ବାଇକୁ ପଥର ଛେଚି ଚୁରମାର କରି ଦେଇଥିବା ସହ ଘର ସାମ୍ନା ଗ୍ରୀଲ ଓ ଝରକା ଭାଙ୍ଗି ଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ପୁଲିସ୍ ତଦନ୍ତ କରି ଫେରିଥିବା ବେଳେ ଆଜି ସକାଳୁ ଥାନା ଅଧିକାରୀ ଧୀରେଶ କୁମାର ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କେସ୍ ନମ୍ବର ୬୨୨ ଏବଂ ୬୨୩ରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିବା ପ୍ରକାଶ କରିଛନ୍ତି। ଏଥିସହ ଅଭାଗିନୀ ଓକିଲ ସଂଘକୁ ଏ ସଂର୍ପକରେ ଅବଗତ କରିବା ପରେ ଆଜି ଅପରାହ୍ନରେ ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଥାନାକୁ ଆସି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ କଳିଙ୍ଗ ନଗର ଦ୍ବିତୀୟ ଲାଇନ୍ରେ ରହୁଥିବା ଅଜିତ କୁମାର ସେଠୀ ଗତକାଲି ରାତିରେ ଖାଇବା ନେଇ ଘରକୁ ଫେରୁଥିବା ବେଳେ ସେହି ରାସ୍ତାରେ କିଛି ଯୁବକ ତାଙ୍କୁ ଅଟକାଇବା ସହ ତାଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ଛଡାଇ ନେଇଥିଲେ। ଏଥିସହ ତାଙ୍କୁ ମାଡମାରି ଲହୁଲୁହାଣ କରିଦେବାରୁ ସେ ପ୍ରାଣ ବିକଳରେ ଦୌଡି ଯାଇ ଅଭାଗିନୀଙ୍କ ଘରେ ପଶି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ଜମା ହୋଇଯିବାରୁ ଆକ୍ରମଣକାରୀ ସେଠାରୁ ପଳାଇ ଥିଲେ।
/sambad/media/post_attachments/wp-content/uploads/2022/11/BNJ-BJ-okila-sangha.jpg)
ଏହାପରେ ଅଜିତ ତାଙ୍କୁ ଆକ୍ରମଣ ହୋଇଥିବା ସଂର୍ପକରେ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହାର କିଛି ସମୟରେ ପୁଣି ୫-୬ ଜଣ ଦୁବୃର୍ତ୍ତ ଅଭାଗିନୀଙ୍କ ଘର ସାମ୍ନାକୁ ଆସି ଗାଳି ଗୁଲଜ କରିବା ସହ ତାଙ୍କୁ ଏବଂ ଭାଇ ଓ ଭାଉଜଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ସେମାନେ ଘର ଭିତରକୁ ପଳାଇ ଗ୍ରୀଲ ବନ୍ଦ କରି ଦେଇଥିବା ବେଳେ ଦୁବୃର୍ତ୍ତ ମାନେ ଘର ସାମ୍ନାରେ ଥିବା ଦୁଇଟି ବାଇକକୁ ପଥର ଛେଚି ଭାଙ୍ଗି ଦେଇଥିଲେ। ପାଟିତୁଣ୍ଡ ଶୁଣି ନିକଟରେ ରହୁଥିବା ପ୍ରକ୍ତନ କୋର୍ଟର ଏସ୍ଆଇ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସେଠାକୁ ଆସିଥିବା ବେଳେ ଦୁବୃ୍ର୍ତ୍ତ ମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ବିଭିନ୍ନ ଅଞ୍ଚଳରେ ବହୁ ଯୁବକ ମଦ୍ୟପାନ କରି ଏଭଳି ଦୌରାତ୍ମ୍ୟ ଆରମ୍ଭ କରିଥିବା ବେଳେ ପୁଲିସ୍ ପେଟ୍ରୋଲିଂ କଡାକଡି କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରିବା ପାଇଁ ଓକିଲ ସଂଘ ସଭାପତି ଶ୍ରୀ ନାୟକଙ୍କ ସମେତ ସମ୍ପାଦକ ଅମରେଶ ମହାପାତ୍ର,ଧୀରେନ ସ୍ବାଇଁ,ଚନ୍ଦ୍ରମଣୀ ମହାପାତ୍ର,ଗିରିଜା ଭୂୟାଁ,ସନ୍ତୋଷ ତିଆଡି,ଅଶ୍ବିନୀ ପାଣିଗ୍ରାହୀ,ମନୋଜ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଦାବି କରିଛନ୍ତି। ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହେବା ସହ ଯଥାଶୀଘ୍ର ଅପରାଧୀ ମାନଙ୍କୁ କାବୁ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/BNJ-BJ-bike-bhanaga.jpg)