ବାହାଘର ବନ୍ଦ କରିବାକୁ ଯାଇ ପଥର ମାଡ଼ର ଶିକାର ହେଲେ ତହସିଲଦାର ଓ ପୁଲିସ

ରା.ଉଦୟଗିରି: ରା.ଉଦୟଗିରି ଠାରୁ କେବଳ ୧୩କିମି ଦୂର ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଚାଲିଥିବା ଏକ ବାହାଘର କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲଂଘନ କାରଣରୁ ବନ୍ଦ କରିବାକୁ ଯାଇ ପଥର ମାଡ଼ର ଶିକାର ହେବା ସହ ଗୁରୁତର ଆହତ ହୋଇଛନ୍ତି ରା.ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ। ପୂର୍ବରୁ ବାହାଘର ପାଇଁ କେବଳ ୫୦ଜଣଙ୍କୁ ଯୋଗଦେବା ପାଇଁ ଅନୁମତି ଦିଆଯାଇଥିଲା। ତେବେ ଏହାର ଖୋଲାଖୋଲି ଉଲଙ୍ଘନ ହେଉଥିବାରୁ ଖବର ପାଇଁ ରା.ଉଦୟଗିରି ତହସିଲଦାର ପୁଲିସ ସହାୟତାରେ ଘଟଣା ସ୍ଥଳରେ ପହଂଚିଥିଲେ। କୋଭିଡ ନିୟମ ଉଲଂଘନ ହେଉଥିବା ଏବଂ ବଡ ଭୋଜି ଆୟୋଜନ ଦେଖି ଭୋଜି ବନ୍ଦ କରିବାକୁ କହିଥିଲେ। ତେବେ ତାଙ୍କ ପରାମର୍ଶ ଶୁଣିବା ବଦଳରେ ତହସିଲଦାରଙ୍କୁ ଆକ୍ରମଣ ଆରମ୍ଭ କରିଦେଇଥିଲେ ଭୋଜି ଅୟୋଜନକାରୀ। ସାହି ଭିତରୁ ମାଡ଼ ମାରି ମାରି ଆଣିଥିଲେ ତହସିଲଦାରଙ୍କୁ। ତେବେ ଘଟଣା ସ୍ଥଳରେ ବିଦ୍ୟୁତ ଚାଲିଯିବାରୁ ପଥର ମରା ମଧ୍ୟ ଆରମ୍ଭ ହୋଇଯାଇଥିଲା।

ଗୋଟିଏ ପଥର ତହସିଲଦାରଙ୍କ ଠିକ ମସ୍ତକରେ ବାଜିଥିଲା। ଏଥିସହ ତହସିଲଦାରଙ୍କ ସାଙ୍ଗରେ ଯାଇଥିବା ଓଏସ୍ଏ‌ପି ତୃତୀୟ ବାଟାଲିୟନର ୩ଜଣ ଯବାନ ମଧ୍ୟରେ ପଥର ମାଡରେ ଆହତ ହୋଇଛନ୍ତି। କିଛି ପୁଲିସ କର୍ମଚାରୀ ସହାୟତାରେ ତହସିଲଦାରଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ବିଡ଼ିଓ ପ୍ରଦୀପ କୁମାର ନାୟକ ଏବଂ ଏସ୍ଡ଼‌ପିଓ ଦିଲୀପ କୁମାର ନାୟକ ମେଡିକାଲ ଆସି ଆହତଙ୍କୁ ଦେଖିଥିଲେ। କୋଭିଡ ନିୟମ ଉଲଙ୍ଘନ ସହ ତହସିଲଦାରଙ୍କୁ ମାଡ଼ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏଥିରେ କାହାକୁ ଦୟା ଦେଖାଇବାର ପ୍ରଶ୍ନ ନାହିଁ ବୋଲି ଜିଲାପାଳ ଅନୁପମ ସାହା ସୂଚନା ଦେଇଥିଲେ। ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଆବଶ୍ୟକ ସୂଚନା ଦିଆଯାଇଛି ବୋଲି ମଧ୍ୟ କହିଥିଲେ ଶ୍ରୀ ସାହା। ଏହି ଆକ୍ରମଣରେ ତହସିଲ ଗାଡି ଭଙ୍ଗାରୁଜା ହେବା ସହ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର