ମଦ ଭାଟି ଉପରେ ଚଢ଼ାଉ ସମୟରେ ମଦ ମାଫିଆଙ୍କ ଦ୍ଵାରା ଅବକାରୀ ବିଭାଗ କର୍ମଚାରୀଙ୍କ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତିଲେ କର୍ମଚାରୀ

ତିଗିରିଆ: ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦେଶ କ୍ରମେ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସହଯୋଗରେ କଟକ ଜିଲ୍ଲାର ଅବକାରୀ ବିଭାଗ ଉପ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କଟକ ଜିଲ୍ଲା ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ସ୍ଥିତ କରଡାପଲ୍ଲୀ ଗ୍ରାମର ବାରମାଣ ବନ୍ଧ ନିକଟରେ ଦୀର୍ଘ ଦିନ ଚାଲିଥିବା ଏକ ବେଆଇନ ମଦ ଭାଟି ଉପରେ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ଓ ପୋଚ ସହ ଏକ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ଚଢ଼ାଉ ଖବର ପାଇ ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କିଛି ମଦ ମାଫିଆ ଓ ତାଙ୍କ ସହଯୋଗୀ ଜଙ୍ଗଲ ମଧ୍ୟରେ ଲୁଚିରହି ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅବକାରୀ ବିଭାଗର ଗାଡିକୁ ପେଟ୍ରୋଲ ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଏହି ବୋମା ମାଡ଼ରେ ଅବକାରୀ ବିଭାଗର କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ଘଟଣା ରେ ସମ୍ପୃକ୍ତ ଆସାମୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜଣାଯାଇଛି।

ଘଟଣାରୁ ପ୍ରକାଶ ଯେ ଦୀର୍ଘ ଦିନ ଧରି ତିଗିରିଆ ବ୍ଲକର ନିଜିଗଡ଼ ପଞ୍ଚାୟତ ସ୍ଥିତ କରଡାପଲ୍ଲୀ ଗ୍ରାମର ବାରମାଣ ବନ୍ଧ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଏକ ବେଆଇନ ଦେଶୀ ମଦ ଭାଟି ଚାଲିଥିବା ବେଳେ ଏ ସମ୍ପର୍କରେ ସୂଚନା ପାଇ ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ଉପ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଅବକାରୀ ଟିମ ଆଜି ସକାଳେ ଉକ୍ତ ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ସେଠାରେ ଉପସ୍ଥିତ ମଦ ମାଫିଆ ମାନେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଦେଖି ଘଟଣା ସ୍ଥଳରୁ ପଳାୟନ କରିଥିଲେ।

ପରେ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରି ପ୍ରାୟ ୨୪ ହଜାର ଲିଟର ଗୁଡ଼ ପୋଚ, ୧ ହଜାର ୩ ଶହ ୫୦ ଲିଟର ବେଆଇନ ଦେଶୀ ମଦ ସହ ଏକ ବେଆଇନ ଦେଶୀ ବନ୍ଧୁକ ଜବତ କରିଥିଲେ। ଏହି ଚଢ଼ାଉ ଜାରି ଥିବା ବେଳେ ଉକ୍ତ ମଦ ମାଫିଆ ଓ ତାଙ୍କ ସହଯୋଗୀ ମାନେ ଦୂରରେ ରହି ଅବକାରୀ ବିଭାଗର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଟେକା ପଥର ମାଡ଼ କରିଥିଲେ। ଘଟଣା ଆୟତ୍ତରୁ ବାହାରକୁ ଯାଉଥିବା ଦେଖି ଅବକାରୀ ଉପ ଅଧିକ୍ଷକ ଶ୍ରୀ ପଟେଲ ତୁରନ୍ତ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯୁଗଳ କିଶୋରଙ୍କ ସହ ତିଗିରିଆ ଥାନା ଆଇଆଇସି ବନବିହାରି ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ପରେ ତିଗିରିଆ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଥିବା ବେଳେ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ନିର୍ଦେଶ ପାଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଲୋକ ରଞ୍ଜନ ରାୟ ଘଟଣା ସ୍ଥଳରେ ଫୋର୍ସ ସହ ପହଞ୍ଚି ଥିଲେ। ପରେ ପୋଲିସ ତତ୍ୱାବଧାନରେ ଅବକାରୀ ବିଭାଗ ଚଢ଼ାଉ ସମୟରେ ଜବତ ସାମଗ୍ରୀକୁ ନେଇ ଘଟଣା ସ୍ଥଳରୁ ଫେରୁଥିବା ସମୟରେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମଦ ମାଫିଆମାନେ ଅବକାରୀ ବିଭାଗର ଗାଡି ଉପରକୁ ପେଟ୍ରୋଲ ବୋମା ମାଡ଼ କରିଥିଲେ।

ଏହି ବୋମା ମାଡ଼ରେ ଅବକାରୀ ବିଭାଗର ଗାଡିର କ୍ଷୟକ୍ଷତି ହୋଇଥିବା ବେଳେ କୌଣସି ଅବକାରୀ ବିଭାଗର କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏକ ଲିଖିତ ମାମଲା ୬୯/୨୧ ରେ ରୁଜ୍ଜୁ କରାଯାଇ  ବେଳେ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ଘଟଣା ସ୍ଥଳରେ ଉପସ୍ଥିତ ଥିବା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାୟ ମଧ୍ୟ ଘଟଣାରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ ତିଗିରିଆ ତହସିଲଦାର ପ୍ରମୋଦ ବାସ୍କେଙ୍କ ସମେତ କଟକ ଜିଲ୍ଲାର ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ଆଠଗଡ ଅବକାରୀ ବିଭାଗ ଇନ୍ସପେକ୍ଟର ପ୍ରଭାସ ଚୌଧୁରୀ, ଇନ୍ସପେକ୍ଟର ପ୍ରବୀର ସାମଲ, ଏସଆଇ ବିଜୟ ଭଞ୍ଜ, ଇନ୍ସପେକ୍ଟର ସରୋଜ ପରିଡା, ଏଏସ୍ଆ‌ଇ ଦେବାନନ୍ଦ ଭୂୟାଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର