କୋରାପୁଟରେ ପୁଲିସକୁ ଆକ୍ରମଣ ମାମଲା: ଦୁଇ ଗାଁ ପୁରୁଷଶୂନ୍ୟ, ୬ ଜଣଙ୍କୁ ଉଠାଇଛି ପୁଲିସ

କୋରାପୁଟ: ଲମତାପୁଟ ବ୍ଲକ ହାଟଶୁକୁରେ ପୁଲିସକୁ ଆକ୍ରମଣ ଘଟଣାକୁ ଦୁଇଦିନ ବିତିଛି। ଆଜି ଏହିଠାରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରାଯାଇଛି। ଏହାସହ ଜଣେ ଅତିରିକ୍ତ ଏସପି ଓ ୩ ଡ଼ିଏସପି ସହ ପbଲିସ ଟିମର ତନାଘନା ଜାରି ରହିଥିବାବେଳେ ପ୍ଲାଗମାର୍ଚ୍ଚ କରାଯାଇଛି। ପୁଲିସ ଘଟଣାରେ ବହୁ ଲୋକଙ୍କୁ ଅଟକ ରଖିଜେରା କରୁଥିବା ଜଣାପଡିଛି। ତେବେ ବିଶେଷସୁତ୍ରରୁ ମିଳିଥିବା ଖବର ଅନୁସାରେ ୬ ଜଣ ବର୍ତ୍ତମାନ ପୁଲିସର ସ୍କାନରରେ ରହିଥିବା ଜଣାପଡିଛି। ଏହିମାନେ ପରଜାଖୁଡୁପି ଓ ହାଟଶୁକୁ ଗାଁର ବୋଲି ଜଣାପଡିଛି।

ତେବେ ମେ’ ୧ ତାରିଖ ଦିନ ନନ୍ଦପୁର ଆଇଆଇସିଙ୍କୁ ଗାଁର ଲୋକେ ମାଡ ମାରିଥିବା ଜଣାପଡିଥିଲା। ଦିନ ତମାମ ଆକ୍ସନ ମୁଡରେ ରହିଥିଲା ପୁଲିସ। ପୁଲିସର ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ଭୟରେ ଗାଁ ଛାଡି ପୁରୁଷ ଲୋକ ପଳାଇଥିବାବେଳେ ଗାଁରେ ଏବେ କେବଳ ସ୍ତ୍ରୀ ଲୋ‌କ ଓ ଛୋଟ ପିଲା ରହିଛନ୍ତି। ପୁଲିସଙ୍କୁ ଆକ୍ରମଣରେ ସମ୍ପୃକ୍ତ ରହିଥିବା ଆସାମୀ ମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ପୁଲିସର ଫ୍ଲାଗ ମାର୍ଚ ଜାରି ରହିଛି। ଭିନ୍ନ ଭିନ୍ନ ଜାଗାରେ ପୁଲିସ ଫୋର୍ସ ମୂତୟନ କରାଯାଇଛି। ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି ଯେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବାକୁ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ପରଜାଖୁଡୁପି ଓ ହାଟଶୁକୁ ଗାଁର କିଛି ଲୋକଙ୍କୁ ପଚରାଉଚୁରା କରାଯାଉଛି।

ଖୁବାଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରିବୁ ବୋଲି ସେ କହିଛନ୍ତି। ୧ ତାରିଖ ଦିନ ଚିନାମାଟି ଖଣି ଅଞ୍ଚଳକୁ ନନ୍ଦପୁର ପୁଲିସ ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ କରିଥିଲେ। କିଛି ଲୋକ ନନ୍ଦପୁର ଥାନା ଇନସପେକ୍ଟରଙ୍କୁ ଧକ୍କାମାରି ଗାତକୁ ଠେଲି ଦେଇଥିଲେ। ନନ୍ଦପୁର ଥାନା ଲମତାପୁଟ ତହସିଲ ଅଧିନରେ ଥିବା ଚିନାମାଟି ଖଣି ଖନନକୁ ନେଇ ୩ ଖଣ୍ଡ ଗାଁର ଲୋକମାନେ ବିରୋଧ କରି ଆସୁଛନ୍ତି। ଏଥିପାଇଁ ଖଡିମାଟି ସୁରକ୍ଷା ସମିତି ପକ୍ଷରୁ ଦୀର୍ଘ ଦିନଧରି ବିରୋଧ କରାଯାଉଛି। ଏନେଇ କୋରପୁଟ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନିଆଯାଇଛି। ଏନେଇ ଦୁଇଟି ମାମଲା ରୁଜୁ କରାଯାଇଛି। ଏହାସହ ଦୁଇ ଗାଁ ପ୍ରାୟ ୬୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ବି ଏହି ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ଘରୋଇ ସୁରକ୍ଷାକର୍ମୀଙ୍କୁ ବନ୍ଧକ ରଖାଯିବା ଓ ଆଇଆଇସିଙ୍କୁ ମାଡ ମରାଯିବାକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର