ସରପଞ୍ଚ ଗାଡ଼ି ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ଥାନାରେ ଏତଲା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍‌ କୋକଳବା ପଞ୍ଚାୟତର ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକଙ୍କ ଉପରକୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଥାନାରେ ସେ ଅଭିଯୋଗ କରିଛନ୍ତି। ଏଥିରେ ତାଙ୍କର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ତାଙ୍କ କାର୍‌ର ସାମ୍ନା କାଚ ଭାଙ୍ଗି ଯାଇଛି। ସେ ନିଜ କାର୍‌ରେ ଭଞ୍ଜନଗରରୁ ଗାଁକୁ ଫେରୁଥିବା ସମୟରେ ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଳୀ ଗ୍ରାମ ନିକଟରେ ତାଙ୍କ ଉପରେ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଅଭିଯୋଗରେ ଜ‌ଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। କେସ୍‌ ନମ୍ବର ୪୫୮ରେ ଏକ ମାମଲା ରୁଜୁ ‌କରାଯାଇ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ସହ କାହିଁକି ଏଭଳି ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସରପଞ୍ଚ ଶ୍ରୀ ସାହୁ ଗତ ଶୁକ୍ରବାର ଦିନ ଭଞ୍ଜନଗର କୌଣସି କାମରେ ଆସି ଘରକୁ ଫେରୁଥିବା ସମୟରେ ତୁଳସୀପଲ୍ଲୀ ନିକଟ‌ରେ ତିନି ଜଣ ଦୁବୃର୍ତ୍ତ ହଠାତ୍‌ କାର୍‌ ସାମ୍ନାକୁ ଆସି ତାଙ୍କୁ ଅଟକାଇବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲେ।

ଏଥିସହ ତାଙ୍କୁ ଲକ୍ଷ୍ୟ କରି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସମୟରେ ସେ ହଟିଯିବାରୁ ତାହା ତାଙ୍କ କାର୍‌ ସାମ୍ନା କାଚରେ ବାଜିଥିଲା। ଯାହା ଫଳରେ ତାହା ଆଘାତ ପାଇ ଭାଙ୍ଗିଯାଇଥିଲା। ଏହାପରେ ତାଙ୍କୁ ବିଧା ଗ‌ୋଇଠା ମାରିବା ସମୟରେ ଗ୍ରାମର କିଛି ଲୋକ ଆସୁଥିବା ଦେଖି ଦୁବୃର୍ତ୍ତ ମାନେ ତାଙ୍କୁ ଜୀବନରେ ମାରିଦେବା ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ‌ବୋଲି ସେ ନିଜ ଏତଲାରେ ଦର୍ଶାଇଛନ୍ତି। ତେବେ ତାଙ୍କର ଏହି ଇଲାକାରେ କାହା ସହ କୌଣସି ଶତ୍ରୁତା ନଥିବା ବେଳେ କାହିଁକି ଏଭଳି ତାଙ୍କ ଉପରେ ଆକ୍ରମଣ ହେଲା ତାହା ସ୍ପଷ୍ଟ ହୋଇପାରିନି। ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର