ଆଳି: ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଗରୁତର ଆହତ ହୋଇଥିବା ଆଳି ଥାନାରେ ଅଭିଯୋଗ ହୋଇଛି। ଆଳି ବ୍ଲକ ଅନ୍ତର୍ଗତ ଚନ୍ଦନନଗର ହାଇସ୍କୁଲର ଶିକ୍ଷକ ଗୋପବନ୍ଧୁ ବେହେରା ସେହି ସ୍କୁଲର ୧୦ମ ଶ୍ରେଣୀର ଛାତ୍ର ଶୁଭମ ବାରିକଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରି ଆହତ କରିଥିବାର ଥାନାରେ ଅଭିଯୋଗ ହୋଇଛି। ଆହତ ଛାତ୍ର ଶୁଭମଙ୍କ ଦାଦା ଗୁରୁଚରଣ ବାରିକ ଆଳି ଥାନାରେ ଦାଏର କରିଥିବା ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି ଯେ, ଆଜି ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ତାଙ୍କ ପୁତୁରା ତଥା ଚନ୍ଦନ ନଗର ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଶୁଭମ ବାରିକ ଶ୍ରେଣୀ ବାହାରକୁ ପରିଶ୍ରା କରିବା ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ମଦ ପିଉଥିବାର ଦେଖିଥିଲା। ଏହା ଦେଖି ଶୁଭମ ସମ୍ପୃକ୍ତ ଶିକ୍ଷକଙ୍କୁ ମଦ ପିଉଛନ୍ତି କି ବୋଲି ପଚାରିଥିଲା। ଛାତ୍ର ଶୁଭମର ଏଭଳି ପ୍ରଶ୍ନରେ ଶିକ୍ଷକ ଜଣଙ୍କ ଉତ୍ତେଜିତ ହୋଇ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ଶୁଭମଙ୍କୁ ନିର୍ଧୁମ ପିଟିଥିଲେ।
କାଠଫାଳିଆ ମାଡ଼ରେ ଶୁଭମ ଅଚେତ ହୋଇପଡିବା ପରେ ତାକୁ ସେଠାରୁ ଟେକିନେଇ ସ୍କୁଲର ଏକ କୋଠରୀ ଭିତରେ ବନ୍ଦ କରି ରଖିଥିଲେ। ସ୍କୁଲ ଛୁଟି ପରେ ଶୁଭମଙ୍କୁ ବନ୍ଦ କୋଠରୀରୁ ଛଡା ଯାଇଥିଲା। ସ୍କୁଲରୁ ଫେରିବା ପରେ ଶୁଭମ ଘରକୁ ଆସି ଶିକ୍ଷକଙ୍କ ମାଡ଼ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲା। ଏହି ଘଟଣା ଜାଣିବା ପରେ ପରିବାର ଲୋକେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁଭମର ଚିକିତ୍ସା କରାଇଥିଲେ। ଶୁଭମର ବାମହାତ କାନ୍ଧରେ ଗୁରୁତର ଆଘାତ ଲାଗି ହାତ ଭାଙ୍ଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଆଘାତ ଲାଗିଛି। ପରିବାର ଲୋକେ ଶୁଭମର ଚିକିତ୍ସା କରାଇବା ପରେ ଆଳି ଥାନାରେ ଶିକ୍ଷକ ଗୋପବନ୍ଧୁ ବେହେରାଙ୍କ ନାମରେ ଏତଲା ଦେଇ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ଅମାନୁଷିକ ମାଡ଼ ମାରିବା ଘଟଣାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।