ଛୁରାମାଡ କରି ମୋବାଇଲ ଲୁଟିଲେ, ଗୁରୁତର ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତରିତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗି ସଲପା-ଅଣ୍ଟାସର ରାସ୍ତାର ପଣ୍ଡାଗୁଡା ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ମୋବାଇଲ ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଗି ଗ୍ରାମର ତ୍ରିନାଥ ମହାନ୍ତି ଅନ୍ୟ ଜଣେ ସାଙ୍ଗ ସହ ଗତ ୨୪ ତାରିଖ ଦିନ ଅଣ୍ଟାସର ଗ୍ରାମରେ ହେଉଥିବା ବାଲିଯାତ୍ରା ଦେଖିବାକୁ ଯାଇଥିଲେ। ବାଲିଯାତ୍ରା ଦେଖି ସନ୍ଧ୍ୟା ସମୟରେ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ତେବେ ଫେରିବା ସମୟରେ ପଣ୍ଡାଗୁଡା ନିକଟରେ ୪ ଜଣ ଯୁବକ ହଠାତ ଆସି ବାଟ ଓଗାଳି ଥିଲେ। ଏହାପରେ ଉଭୟଙ୍କୁ ବିଲ ମଝିକୁ ଟାଣି ନେଇ ମାଡ଼ ମାରିବା ସହ ତ୍ରିନାଥଙ୍କୁ ଛୁରାମାଡ଼ କରିଥିଲେ। ଛୁରା ମାଡ଼ ସମୟରେ ତ୍ରିନାଥ ବୁଲି ପଡିବା ଯୋଗୁଁ ଛୁରା ତାଙ୍କ ପିଠିରେ ବାଜିଥିବା ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ତ୍ରିନାଥଙ୍କ ସାଙ୍ଗଙ୍କୁ ମଧ୍ୟ ମାଡ଼ ମାରିବାରୁ ସେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି। ଏମିତିକି ଯୁବକମାନେ ଛୁରା ମାଡ଼ ପରେ ତ୍ରିନାଥଙ୍କ ମୋବାଇଲ ଏବଂ ସେ ଧରିଥିବା ୧ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହାପରେ ତ୍ରିନାଥଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର