ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ

କୋରପୁଟ: କୋରାପୁଟ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ମୋତି ରଞ୍ଜନ ବେହେରାଙ୍କୁ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଭାବେ ସେ କୋରାପୁଟ ବଡ ମେଡିକାଲରେ ଚିକିତ୍ସାଧୀନ ରହିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ତାନାନ୍ତର କରାଯାଇଛି। ଏନେଇ କୋରାପୁଟ ଟାଉନ ଥାନା‌ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟାବେଳେ ଏକ ହୋଟେଲକୁ ଖାଇବାକୁ ଯାଇ ଫେରିବା ସମୟରେ ହୋଟେଲ ମାଲିକ ନିରଞ୍ଜନ ସାମନ୍ତରାୟ ଓରଫ ଧୁଷାଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ ଧୁଷା ହଠାତ ମୋତିଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଉପସ୍ଥିତ ରହିଥିବା କିଛି ଲୋକ ତାଙ୍କୁ କୋରାପୁଟ ବଡ ମେଡିକାଲକୁ ନେଇଥିଲେ।

ତାଙ୍କ ଅବସ୍ଥା ନ ସୁଧୁରିବାରୁ ବ୍ରହ୍ମପୁରକୁ ପଠାଯାଇଥିବା ଜଣାପଡିଛି। ପୁଲିସ ଆଇପିସି ଧାରା ୩୦୭ ଅନୁଯାୟୀ ଥାନା କେସ ନମ୍ବର ୧୭୭/୨୨ରେ ଏକ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷ‌ରେ ଏହାକୁ ଗୁରୁତ୍ବ‌ର ସହ ନେଇଛି କୋରାପୁଟ ଓକିଲ ସଂଘ। ଆକ୍ରମଣରେ ସମ୍ପୃକ୍ତ ରହିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। କୋରାପୁଟ ଏସଡିପିଓ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ସିସିଟିଭିର ଯାଞ୍ଜ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ଓକିଲ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଂଘର ସମ୍ପାଦକ ମନୋରଞ୍ଜନ ରାଉତରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର