ଡାହାଣୀ ସନ୍ଦେହରେ ପୁତୁରାବୋହୂଙ୍କୁ ତୀର ମାଡ଼

ତୀର ଧନୁ ଜବତ, କକା ଶଶୁର କୋର୍ଟ ଚାଲାଣ

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହ କରି ନିଜ ପୁତୁରାବୋହୂଙ୍କୁ ତୀର ମାଡ଼ କଲେ ଜନୈକ କକା ଶଶୁର। ତୀର ମାଡ଼ରେ ପୁତୁରାବୋହୂଙ୍କୁ ଜଣକ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ଅଭିଯୋଗ ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ନୁଙ୍ଗୁରାମ ପୁର୍ତ୍ତିଙ୍କ ସ୍ତ୍ରୀ ଶୁକୁରମଣୀ ପୁର୍ତ୍ତି (୩୧) ନିଜ ତିନି ବର୍ଷର ଝିଅ ସହିତ ଗୁରୁବାର ଦିନ ବିଶୋଇ ଥାନା ଅନ୍ତର୍ଗତ ମଣଦା ସ୍ଥିତ ସାପ୍ତାହିକ ହାଟକୁ ଯାଇଥିଲେ। ତେବେ ହାଟରେ ପରିବା ପତ୍ର କିଣି ସାରି ସନ୍ଧ୍ୟା ସମୟରେ ରାଧାନଗରସ୍ଥିତ ନିଜ ଘରକୁ ଫେରୁ ଥିଲେ। ଘର ପାଖାପାଖି ପହଞ୍ଚି ଥିବା ବେଳେ ହଠାତ୍ ଏକ ତୀର ଆସି ଶୁକୁରମଣୀ ପୂର୍ତ୍ତିଙ୍କ ବାମ ପଟ ପେଟରେ ବାଜିଥିଲା। ପାଖରେ ଥିବା ଶୁକୁରମଣୀ ପୂର୍ତ୍ତିଙ୍କ ନିଜ କକା ଶଶୁର ଲକ୍ଷ୍ମଣ ପୂର୍ତ୍ତି ଏକ ଧନୁ ସାହାଯ୍ୟରେ ଶୁକୁରମଣୀଙ୍କୁ ହତ୍ୟା କରିବା ପାଇଁ ତୀର ମାଡ଼ କରିଥିଲେ। ତୀର ପେଟରେ ବାଜିବା ପରେ ଚିତ୍କାର କରିବା ସହିତ ଶୁକୁରମଣୀ ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଗାଁର ୱାର୍ଡ଼ ମେମ୍ବର ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଶୁକୁରମଣୀଙ୍କୁ ଉଦ୍ଧାର କରି ସନ୍ଧ୍ୟା ସମୟରେ ମଣଦା ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ ସେ ବିପଦରୁ ମୁକ୍ତ ଥିବା ଡ଼ାକ୍ତରଙ୍କ ଠାରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ପିଡିତାଙ୍କ ପରିବାର ଲୋକେ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଶୋଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଲକ୍ଷ୍ମଣ ପୁର୍ତ୍ତିକୁ ଗିରଫ କରିବା ସହିତ ଧନୁତୀରକୁ ଜବତ କରିଛି।

ଆଜି ଅଭିଯୁକ୍ତ କକା ଶଶୁର ଲକ୍ଷ୍ମଣର ରାଇରଙ୍ଗପୁର ମେଡିକାଲରେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଛି ବୋଲି ବିଶୋଇ ଥାନା ଅଧିକାରିଣୀ ମିନି ଭୋଇସୂଚନା ଦେଇଛନ୍ତି। ସେପଟେ ତୀର ମାଡ଼ ହୋଇଥିବା ଶୁକୁରମଣୀ ପୁର୍ତ୍ତିଙ୍କ କହିବା ଅନୁଯାୟୀ, ତାଙ୍କ କକା ଶଶୁର ଡାହାଣୀ ସନ୍ଦେହରେ ତାଙ୍କୁ ତୀର ମାଡ଼ କରିଥିବା କାନ୍ଦି କାନ୍ଦି କହିଛନ୍ତି। ତାଙ୍କ କକା ଶଶୁରଙ୍କ ପରିବାରରେ ବାରମ୍ବାର ଜ୍ବର ଆସୁଥିବାରୁ ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ତୀରମାଡ କରିଥିବା କହିଛନ୍ତି। ତେବେ ବର୍ତ୍ତମାନ ଶୁକୁରମଣୀ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି। ଏନେଇ ବିଶୋଇ ଥାନାରେ କେସ ନଂ ୧୦୫/୨୩ରେ ଏକ ମାମଲା ରୁଜ୍ଜୁ ହୋଇଛି।

ସମ୍ବନ୍ଧିତ ଖବର