ଯାଜପୁର: ମଙ୍ଗଳପୁର ଥାନା ନିକଟରେ ଦୁଇ ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ୪ଦିନ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ବାନ୍ଧି ପାରୁନାହିଁ। ସାମ୍ବାଦିକଙ୍କ ଉପରେ ଆକ୍ରମଣ ପାଇଁ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲାରୁ ଭଡ଼ାଟିଆ ୫ଜଣ ଗୁଣ୍ଡା ଆସିଥିଲେ। ସେଥିମଧ୍ୟରୁ ଜଣକୁ ପୁଲିସ ଗିରଫ କରିଛି। ଅଥଚ ଏହି ଗଣ୍ଡଗୋଳର ମାଷ୍ଟର୍ମାଇଣ୍ଡ୍ ବାହୁବଳୀ ବିଜେଡି ସମର୍ଥକଙ୍କୁ ଗିରଫ କରିବାରେ ମଙ୍ଗଳପୁର ଥାନା ପୁଲିସର ବଳ ପାଉନାହିଁ। ପୁଲିସ ଅଭିଯୁକ୍ତଙ୍କୁ ପାଉନି ନା ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ ହେଉଛି। ପୁଲିସର ଏଭଳି କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ଦାନା ବାନ୍ଧୁଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି।
ଗତ ୨୮ତାରିଖ ରାତିରେ ମଙ୍ଗଳପୁର ପୁଲିସ ଡାକରାରେ ପାଲଟପୁର ପଞ୍ଚାୟତର ଦୁଇ ଗୋଷ୍ଠୀ ଥାନାକୁ ଆସିଥିଲେ। ଏଠାରେ ଏକ ଗଣ୍ଡଗୋଳ ଘଟଣା ନେଇ ବୁଝାମଣା ହୋଇଥିଲା। ମାତ୍ର କେତେକ ଅସାମାଜିକ ବିଜେଡି ସମର୍ଥକ ଆକ୍ରମଣ ପାଇଁ ଷଡ଼୍ଯନ୍ତ୍ର କରିଥିଲେ। ଫଳରେ ଥାନାରେ ପୁଲିସ ଉପସ୍ଥିତିରେ ଗାଳିଗୁଲଜ କରିଥିଲେ। ପୁଲିସ ନିରବ ରହିଥିଲା। ଯାହା ଫଳରେ ଥାନା ନିକଟରେ ଏହି ଅସାମାଜିକ ଯୁବକମାନେ ସଂଘବଦ୍ଧ ହୋଇ ସାମ୍ବାଦିକ ଚନ୍ଦ୍ରଶେଖର ସାହୁ, ସାମ୍ବାଦିକ ଜ୍ୟୋତି ପ୍ରକାଶ ପଣ୍ଡା ଓ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ସାହସ ପାଇଲେ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଆକ୍ରମଣ ଶିକାର ହୋଇଥିବା ସାମ୍ବାଦିକମାନଙ୍କ କେସ ପ୍ରଥମ ରୁଜୁ ନକରି ପୁଲିସ ଅଭିଯୁକ୍ତଙ୍କ ଏତଲା ଆଧାରରେ ଆହତ ସାମ୍ବାଦିକମାନଙ୍କ ନାମରେ ସଙ୍ଗିନ ଦଫାରେ କେସ ରୁଜୁ କରିଛି। ଯାହାକି ପୁଲିସର ଭୂମିକା ସନ୍ଦେହ ଘେରକୁ ଟାଣି ହୋଇଛି। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏଭଳି ଦୁର୍ବଳ ପୁଲିସ ମଙ୍ଗଳପୁର ଥାନା ଅଞ୍ଚଳର ଆଇନଶୃଙ୍ଖଳା ରକ୍ଷା କରିବାରେ କେତେ ସଫଳ ହେବ? ସେ ନେଇ ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି। ଦିନକୁ ଦିନ ଯାଜପୁର ପୁଲିସର କାର୍ଯ୍ୟ ଦକ୍ଷତା ନିମ୍ନଗାମୀ ହେବାରେ ଲାଗିଛି। ପୁଲିସର ଦୁର୍ବଳତା ବାହୁବଳୀଙ୍କୁ ଅଧିକ ଉତ୍ସାହିତ କରୁଛି। ଯାଜପୁର ଭଳି ଏକ ସମ୍ବେଦନଶୀଳ ଜିଲ୍ଲାରେ ପୁଲିସର ଏଭଳି ଭୂମିକା ଯୋଗୁଁ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।