ବୁଗୁଡ଼ା: ମନରେଗା ଯୋଜନାରେ ପୋଖରୀ କାମରେ ଲାଗିଥିଲା ମେସିନ। ଆଉ ଏହାକୁ ପ୍ରତିବାଦ କରି ଜଣେ ଯୁବକ ଫଟୋ ଉଠାଇବାରୁ ସରପଞ୍ଚଙ୍କ ପୁଅ ଓ ସମର୍ଥକ ତାଙ୍କୁ ନିସ୍ତୁକ ମାଡ଼ ମାରିଲେ। ଆଉ ଫାଣ୍ଡି ଅଧିକାରୀ ସୁରକ୍ଷା ଦେବା ବଦଳରେ ଓଲଟି ତାଙ୍କ ମୋବାଇଲ ଛଡ଼ାଇ ନେଲେ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତରପଡ଼ା ପଞ୍ଚାୟତରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ସୂଚନାନୁସାରେ, ପଞ୍ଚାୟତର ଗୁଡ଼ିବନ୍ଧକୁ ଆଦର୍ଶ ପୋଖରୀ ଭାବେ ଚିହ୍ନଟ କରାଯାଇ ଏହାର ପୁନରୁଦ୍ଧାର ପାଇଁ ମନରେଗା ଯୋଜନାରେ ଦଶଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ପୋଖରୀ କାମରେ ଶ୍ରମିକମାନଙ୍କ ବଦଳରେ ଦୁଇଟି ମେସିନ ନିୟୋଜିତ ହୋଇଥିଲା। ଏହା ଜାଣିବା ପରେ ମାଣିବନ୍ଧ ଗ୍ରାମର ବାବୁଲା ସ୍ବାଇଁ ନାମକ ଜଣେ ଯୁବକ ସେଠାରେ ପହଞ୍ଚି ପ୍ରତିବାଦ କରିବା ସହ ନିଜ ମୋବାଇଲରେ ମେସିନର ଫଟୋ ଉଠାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ସରପଞ୍ଚଙ୍କ ପୁଅ ମନୋଜ କୁମାର ଶତପଥୀ ଓ ତାଙ୍କ ସମର୍ଥକ ଲିଙ୍କନ ନାୟକ, ଶିବାନନ୍ଦ ଗୌଡ଼, ଜିଆରଏସ ତୁଷାର କୁମାର ବେହେରା, ଗ୍ରାମସେବକ ପ୍ରଶାନ୍ତ କୁମାର ବେହେରା ଓ ଜେଇ ସୁନୀଲ କୁମାର ଜାନି ବାବୁଲାଙ୍କୁ ଘେରିଯାଇଥିଲେ।
ମନୋଜ, ଲିଙ୍କନ ଓ ଶିବାନନ୍ଦ ସଂଘବଦ୍ଧ ଭାବେ ବାବୁଲାଙ୍କୁ ପ୍ରବଳ ମାଡ଼ ମାରିବାରୁ ସେ ଅଚେତ ହୋଇ ଯାଇଥିଲେ। ସନ୍ତୋଷ ଭୋଳ ଓ କିଶାନ କୁମାର ପାଢ଼ୀ ନାମକ ଦୁଇଜଣ ଯୁବକ ବାବୁଲାଙ୍କ ଉପରେ ପାଣି ସିଞ୍ଚନ କରି ଉଠାଇ ବୁଗୁଡ଼ା ମେଡିକାଲକୁ ଆଣିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ପହଞ୍ଚି ବାବୁଲାଙ୍କୁ ଓଲଟା ତାଗିଦ୍ କରିଥିଲେ। ‘ଏମିତି କାମ ଚାଲିଥିବା ବେଳେ ତୁ କାହିଁକି ଫଟୋ ଉଠାଇଲୁ’ ବୋଲି କହିବା ସହ ମାମଲା ଗୁନ୍ଥି ଦେବି ବୋଲି ଧମକ ଦେଇଥିବା ବାବୁଲା ଅଭିଯୋଗ ଆଣିଛନ୍ତି। ଏସଂକ୍ରାନ୍ତରେ ସେ ବୁଗୁଡ଼ା ଥାନାରେ ଏତଲା ଦେଇଛନ୍ତି। ଏହାସହ ଗଞ୍ଜାମ ଏସପି ଗଞ୍ଜାମ ଜିଲ୍ଲାପାଳ ଓ ଭଞ୍ଜନଗର ଏସଡିପିଓଙ୍କୁ ଅବଗତ କରିଥିବା ବାବୁଲା କହିଛନ୍ତି। ଅନ୍ୟପକ୍ଷରେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା କହିଛନ୍ତି, ‘ମୁଁ ସୂଚନା ପାଇ ପହଞ୍ଚିବା ବେଳେ ଉଭୟ ପକ୍ଷ ମଧ୍ୟରେ ବାକ୍ବିତଣ୍ଡା ଚାଲିଥିଲା। ମୁଁ କେବଳ ବାବୁଲାଙ୍କ ମୋବାଇଲ୍ ମାଗି ସ୍ବିଚ୍ ଅଫ୍ କରିବା ସହ ଫାଣ୍ଡିକୁ ଡାକିଥିଲି। ବାବୁଲା ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା’। ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।