ପାତ୍ରପୁର: କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ବାବନପୁର ଗ୍ରାମ। ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ କେ.ସୁନ୍ଦର ରାଓ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଏକ ମାମଲା ରୁଜୁ ସହ ତିନିଜଣ ଅଭିଯୁକ୍ତ କେ.ପୁରୁଷୋତ୍ତମ, କେ.ବିଶ୍ଵନାଥ ଓ କେ.ତୁଳସୀ ଦାସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Advertisment

ସୁନ୍ଦର, କେ‌.ଡିଲେଶୁ ଓ କେ.ଧର୍ମା ରେଡ୍ଡୀ ମିଶି ବାଇକ୍‌ରେ ଖମ୍ବାରିଗାଁରୁ ବାବନପୁର ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଖମ୍ବାରିଗାଁ-ବାବନପୁର ରାସ୍ତାରେ ଥିବା ପଥରକ୍ବାରୀ ନିକଟରେ କେ.ଚିନ୍ନେୟା, କେ.ନୋକେୟା ଓ ପି.ପୁରୁଷୋତ୍ତମଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ସୁନ୍ଦରଙ୍କୁ ଆକ୍ରମଣ କରିଥିଲେ। ଜୀବନରେ ମାରିଦେବୁ ବୋଲି କହି ସୁନ୍ଦରଙ୍କ ଦୁଇହାତ ଓ ଗୋଡ଼ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ଧାରୁଆଅସ୍ତ୍ରରେ ଆଘାତ କରିଥିଲେ। ଜରଡ଼ା ପୁଲିସ ପହଞ୍ଚି ସୁନ୍ଦରଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।

ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସହ ଗ୍ରାମରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଜରଡ଼ା ଥାନାଧିକାରୀ ସୁନିଲ କୁମାର ବେହେରା ପ୍ରକାଶ କରିଛନ୍ତି। ସୂଚନା ଥାଉକି, ପଞ୍ଚାୟତ ନିର୍ବାଚନ ବେଳେ ଏହି ଗ୍ରାମରେ ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିଲା। ପୁଣି ଜମିଜମା ବିବାଦକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଥିଲା। ଗ୍ରାମରେ ଶାନ୍ତି ଫେରାଇ ଆଣିବା ଦିଗରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଦାବି ‌ହୋଇଛି।