ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବାଦପଲ୍ଲୀ ପଞ୍ଚାୟତର କମାରସିଙ୍ଗି ଠାରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଛୁରୀମାଡ଼ କରାଯିବା ସହ ଖଣ୍ଡାରେ ହାଣିଛନ୍ତି ବିପକ୍ଷ ଗୋଷ୍ଠୀ। ତାଙ୍କୁ ପଥରରେ ଛେଚିଥିବା ମଧ୍ୟ ଜଣାଯାଇଛି। ଆକ୍ରମଣରେ ଗୁରୁତର ଆହତ ବାକୁଟୁଗାଁର ଆଲୋକ ସାହୁ (୨୫)ଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଏ ନେଇ ଖଲ୍ଲିକୋଟ ଥାନାରେ କେସ୍‌ ନମ୍ବର ୨୪୩/୨୩ ରୁଜୁ ହୋଇଛି। ଘଟଣାରେ ବାକୁଟୁଗାଁର ସନ୍ତୋଷ ମଲ୍ଲିକ, ପ୍ରଭାତ ପଲେଇ, ଶ୍ରୀକାନ୍ତ ମଲ୍ଲିକ, ପାରିନୂଆଗାଁର ଭାସ୍କର ପ୍ରଧାନ, ସିଙ୍ଗିପୁରର ସନ୍ତୋଷ ପ୍ରଧାନ, କଇଠଡାର ତୋଫାନ ସାହୁ ଓ ଅନ୍ୟ ପାଞ୍ଚ ଜଣ ସଂପୃକ୍ତ ଥିବା ଏତଲାରେ ଅଭିଯୋଗ କରା ଯାଇଥିବା ବେଳେ ପୁଲିସ ତଦନ୍ତ ଚଳାଇଥିବା ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଆଜି ସକାଳ ୮ ଘଣ୍ଟା ସମୟରେ ଆଲୋକ ନିଜ କାମ ସାରି ବାଦପଲ୍ଲୀ ପଞ୍ଚାୟତରୁ ନିଜ ଗ୍ରାମ ବାକୁଟୁଗାଁ ଅଭିମୁଖେ ଫେରୁଥିଲେ। କମାରସିଙ୍ଗି ଠାରେ ପୂର୍ବରୁ ଛକି ରହିଥିବା ୧୦ରୁ ୧୧ ଜଣ ଯୁବକ ଛୁରୀ, ଖଣ୍ଡା ଓ ପଥର ଦ୍ୱାରା ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ଗ୍ରାମବାସୀ ତୁରନ୍ତ ‌ଆଲୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆକ୍ରମଣରେ ଆଲୋକଙ୍କ ବାମଗୋଡ଼, ଡାହାଣ ହାତ ଓ ଡାହାଣ ପାର୍ଶ୍ଵ ପେଟରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ଶତ୍ରୁତା ଓ ଲଙ୍ଗଳେଶ୍ବର ଠାରେ ନିର୍ମାଣ ହୋଇଥିବା ବ୍ରିଜରେ ମାଟି ପକାକୁ କେନ୍ଦ୍ର ବିବାଦରୁ ଏହି ଆକ୍ରମଣ ହୋଇଥିବା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ସୂଚନା ଦେଇଛି।