ଗୁଣପୁର: ରାମନାଗୁଡା ବ୍ଲକ ତାଣ୍ଡିକଣା ଛକରେ ଏକ ଘରୋଇ ବସ୍ର କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁଣପୁରରେ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଖବର ଲେଖା ହେବା ସୁଦ୍ଧା ଗାଡି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି । ଏହି ଘଟଣାରେ ଗୁଣପୁର ପୁଲିସ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଅନୁଯାୟୀ, ଯାତ୍ରୀ ପରିବହନକୁ କେନ୍ଦ୍ର କରି ଗତକାଲି ରାମନାଗୁଡା ବ୍ଲକ ଅନ୍ତର୍ଗତ ତାଣ୍ଡିକଣା ଛକରେ ଟାଟା ମ୍ୟାଜିକ୍ କର୍ମଚାରୀଙ୍କ ସହ ଗୁଣପୁରରୁ ମୁନିଗୁଡା ଯାଉଥିବା ରାଜକମଲ ନାମକ ଏକ ଘରୋଇ ବସ୍ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ ଏହାକୁ କେନ୍ଦ୍ର କରି ଆଜି ସକାଳ ସାଢେ ୯ଟାରେ ତାଣ୍ଡିକଣା ଛକରେ ରାଜକମଲ ବସ୍ କର୍ମଚାରୀ ଗୋପାଳ ପୂଜାରୀଙ୍କୁ କିଛି ଟାଟା ମ୍ୟାଜିକ୍ ଗାଡିର କର୍ମଚାରୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଜଣାପଡିବା ପରେ ଘରୋଇ ବସ୍ କର୍ମଚାରୀ ସଂଘର କର୍ମଚାରୀ ଏବଂ ଟାଟା ମ୍ୟାଜିକ ଚାଳକ ଓ ମାଲିକ ମଧ୍ୟରେ ତାଣ୍ଡିକଣା ଛକରେ ପାଟିତୁଣ୍ଡ ହେବା ସହ ଉତ୍ତେଜନା ଦେଖାଦେଇଥିଲା। ଏଥି ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ। କିନ୍ତୁ କେହି କିଛି ନଶୁଣିନଥିଲେ। ଅନ୍ୟପଟେ ଏହାର ପ୍ରତିବାଦରେ ଗୁଣପୁରରୁ ଯାଉଥିବା ସମସ୍ତ ଘରୋଇ ବସ୍ ଗୁଡିକୁ ଘରୋଇ ବସ୍ କର୍ମଚାରୀ ସଂଘର କର୍ମଚାରୀ ମାନେ ଅଟକ ରଖି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ରାଜକମଲ ବସ୍ ଯିବା ପୂର୍ବରୁ ତାଣ୍ଡିକଣା ଛକରୁ ଟାଟା ମ୍ୟାଜିକ୍ ଗୁଡିକ ଯାତ୍ରୀଙ୍କୁ ପରିବହନ କରୁଥିବା ଯୋଗୁଁ ବସ୍ରେ ଯାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିଲା। ଏହାକୁ କେନ୍ଦ୍ର କରି ଗତକାଲି ଯୁକ୍ତିତର୍କ ହୋଇଥିବା ବେଳେ ଆଜି ଘରୋଇ ବସ୍ କର୍ମଚାରୀ ଗୋପାଳଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ଗୋପାଳଙ୍କ ଠାରୁ ୧୦ହଜାର ଟଙ୍କା ଛଡାଇ ନିଆଯାଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଛି। ଏନେଇ ଘରୋଇ ବସ୍ କର୍ମଚାରୀ ମାନେ ଗୁଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଅନ୍ୟପଟେ ଘରୋଇ ବସ୍ ଚଳାଚଳ ବନ୍ଦ ଯୋଗୁଁ ଗୁଣପୁରରୁ ରାୟଗଡା, ମୁନିଗୁଡା, ଗୁଡାରୀ ଓ ପାରଳାଖେମୁଣ୍ଡି ଅଞ୍ଚଳକୁ ଯିବାକୁ ଥିବା ଯାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି। ଅନ୍ୟପଟେ ଏହି ଘଟଣାରେ ପୁଲିସ ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ ସିନ୍ଦୂରମୁଖି ଗାଁର ମାଧବ କରକରିଆଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ କରକରିଆ ଫେରାର ଥିବା ପୁଲିସ କହିଛି।