ପୂର୍ବ ସମିତି ସଭ୍ୟଙ୍କ ସ୍ତ୍ରୀ ଓ ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୪ ଫେରାର୍

କୁକୁଡ଼ା ଓ ମୃଦୁ ପାନୀୟ ବାକି ଦେବାକୁ ମନା କରିବାରୁ ଗଣ୍ଡଗୋଳ

ରେଢ଼ାଖୋଲ: ଛାଡ଼ଖାଇ ପାଇଁ କୁକୁଡ଼ା ଓ ଥଣ୍ଡା ଉଧାର ମାଗିବାକୁ କେନ୍ଦ୍ର କରି ଗଣ୍ଡଗୋଳ ପରେ ଚାରମାଳ ଥାନା ଭରତାପୁର ପଞ୍ଚାୟତର ପୂର୍ବ ସମିତି ସଭ୍ୟ ଲିଙ୍ଗରାଜ ସାହୁଙ୍କ ସ୍ତ୍ରୀ ଓ ପୁଅଙ୍କୁ ମଙ୍ଗଳବାର ରାତିରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ସେମାନେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪ ଜଣଙ୍କ ନାମାରେ ଥାନାରେ ଅଭିଯୋଗ କରାଯାଇଛି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍‌ ଥିବା ଜଣାପଡ଼ିଛି।

ଏତଲା ଅନୁସାରେ ଲିଙ୍ଗରାଜଙ୍କ ଘର ପଞ୍ଚାୟତ ଅଫିସ୍‌ ପାଖରେ ଥିବା ବେଳେ ଘର ପାଖକୁ ଲାଗି ସେ ଏକ ହୋଟେଲ, ତେଜରାତି ଦୋକାନ ଓ କୁକୁଡ଼ା ଦୋକାନ କରିଛନ୍ତି। ଗତ ରାତିରେ ଗାଁ’ର ଡମ୍ବରୁଧର ନାଗ (୨୨), ପପୁନ କଅଁର (୨୨), ରଞ୍ଜନ ନାଗ (୨୫) ଓ ରବି ନାଗ (୨୫) ଦୋକାନରେ ପହଞ୍ଚି ଛାଡ଼ଖାଇ ପାଇଁ ଲିଙ୍ଗରାଜଙ୍କ ପତ୍ନୀ ଲକ୍ଷ୍ମୀ ସାହୁ (୬୦)ଙ୍କୁ କୁକୁଡ଼ା ଓ ମୃଦୁ ପାନୀୟ ବାକି ମାଗିଥିଲେ। ମାତ୍ର ରାତିରେ ବାକି ଦେବାକୁ ସେ ମନା କରିବାରୁ ସଂପୃକ୍ତ ଯୁବକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଲକ୍ଷ୍ମୀ ପୁଅ ଦେବାର୍ଚ୍ଚନ (୨୪)ଙ୍କୁ ଡାକିଥିଲେ। ଦେବାର୍ଚ୍ଚନ ପହଞ୍ଚି ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଗାଳିଗୁଲଜ କରି ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ। ଯଦ୍ବାରା ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଲକ୍ଷ୍ମୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥି ସହ ସେମାନେ ଦୋକାନ ସମେତ ଦେବାର୍ଚ୍ଚନାଙ୍କ ବାଇକ୍‌କୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏତିକିରେ ଅଭିଯୁକ୍ତମାନଙ୍କ ରାଗ ଶାନ୍ତି ହୋଇ ନଥିଲା। ସେମାନେ ଘରେ ଥିବା ଦୁଇ ବୋହୂଙ୍କୁ ବି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେଠାରୁ ଫେରାର୍ ହୋଇଯାଇଥିଲେ। ଉଭୟ ମା’-ପୁଅଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚାରମାଳ ଥାନାରେ ଲକ୍ଷ୍ମୀଙ୍କ ଏତଲା ଆଧାରରେ ପୁଲିସ୍ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର୍‌ ଥିବା ଜଣାପଡ଼ିଛି। ତେବେ ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ବସନ୍ତ ଦଳେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର