ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ବୁଡାନପିପାଲି ଗ୍ରାମର ଶିକ୍ଷକ ଜୟନ୍ତ ପ୍ରଧାନଙ୍କୁ ବାଇକରେ ଲିଫ୍ଟ ମାଗି ଆସିବା ପରେ ଏକ ନିଛାଟିଆ ସ୍ଥାନରେ ଅଭିଯୁକ୍ତ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜୟନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୁଲିସ ଭ୍ରମରବାଡ଼ିର ଗ୍ରାମର ଜୟନ୍ତଙ୍କ ଦୂର ସମ୍ପର୍କୀୟ ପୁତୁରା ଇମାନୁଏଲକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କେସ ନଂ ୪୩/୨୦୨୩ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ, ଆଜି ସକାଳ ପ୍ରାୟ ୮ଟା ସମୟରେ ଜୟନ୍ତ ନିଜ ୮ ବର୍ଷର ପୁଅଙ୍କୁ ଧରି ବାଇକରେ ରାଣିପାଙ୍ଗା ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ପୁତୁରା ଇମାନୁଏଲ ବାଇକ ଅଟକାଇ ଜୟନ୍ତଙ୍କ ସାଙ୍ଗରେ ଯିବାକୁ କହିଥିଲେ। କିଛିବାଟ ଗଲା ପରେ ଯୁଗାବାଡ଼ି ଗ୍ରାମ ନିକଟ ନିଛାଟିଆ ରାସ୍ତାରେ ପରିସ୍ରା କରିବା ବାହାନାରେ ବାଇକକୁ ଅଟକାଇ ଥିଲା ଇମାନୁଏଲ।
ବାଇକକୁ ରଖିବା କ୍ଷଣି ଇମାନୁଏଲ ହଠାତ ପାଖରେ ରଖିଥିବା ଛୁରି ବାହାର କରି ଅତର୍କିତ ଭାବେ ଜୟନ୍ତଙ୍କ ବେକକୁ ଭୁସି ଦେଇଥିଲା। ଜୟନ୍ତ ରକ୍ତ ଜୁଡୁବୁଡୁ ହୋଇ ପାଟି କରିବା ସହ ଦୌଡିଥିଲେ। ହେଲେ ଇମାନୁଏଲ ଜୟନ୍ତଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ତୁରନ୍ତ ଇମାନୁଏଲକୁ କାବୁ କରି ଦୌଡ଼ିରେ ହାତଗୋଡ଼ ବାନ୍ଧି ରଖି ଦାରିଙ୍ଗବାଡ଼ି ପୁଲିସକୁ ସୂଚନା ଦେଇଥିଲେ। ତେବେ ଅଭିଯୁକ୍ତ କାହିଁକି ଏଭଳି ଆକ୍ରମଣ କରିଥିବା ସମ୍ପର୍କରେ କାରଣ ଅସ୍ପଷ୍ଟ ଥିବା ବେଳେ କିଛି ପୂର୍ବ ଶତ୍ରୁତା ରହିଥାଇ ପାରେ ବୋଲି ପୁଲିସ ସନ୍ଦେହ କରିଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଥାନା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/WhatsApp-Image-2023-03-09-at-8.15.59-PM.jpeg)