ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଣ୍ଡାଣ୍ଟ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବ ଥିବା ଆଟେଣ୍ଡାଣ୍ଟ ପଦବୀର ପୂରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ଆଜି ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି। ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଜାତୀୟ ସ୍ୱାସ୍ଥ୍ୟମିଶନ ପ୍ରାୟୋଜିତ ନିର୍ମଳପ୍ଲସ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ମାନଙ୍କରେ ପ୍ରାୟ ୮୪ ଗୋଟି ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ୨୦୨୧ ମସିହାରୁ ନିର୍ଦ୍ଦେଶ ଆସିଛି। ଏଥିପାଇଁ ଖୋର୍ଦ୍ଧାର ତତ୍କାଳୀନ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର ଗୀତାଞ୍ଜଳୀ ଦାସ ଗତ ଜାନୁଆରୀ ମାସରେ ଟେଣ୍ଡର ଆହ୍ୱାନ କରିଥିଲେ। କିନ୍ତୁ ଜାନୁଆରୀ ମାସରେ ଶ୍ରୀମତି ଦାସଙ୍କର ଅନ୍ୟତ୍ର ବଦଳି ହୋଇଗଲା ଏବଂ ତାଙ୍କ ସ୍ଥାନରେ ପ୍ରକାଶ ବାନାର୍ଜୀ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ।

ସ୍ଥାନୀୟ ଏଡିଏମ୍ଓ (ମେଡିକାଲ) ବିଶ୍ୱମୋହନ ମିଶ୍ର ଏହି ଟେଣ୍ଡର ଖୋଲିବା ପାଇଁ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ତିନି ତିନିଥର ଚିଠି ଦେଇ ତାଗିଦ୍ କରିଥିଲେ। ଏହାସତ୍ୱେ ତିିନି ମାସ ବିଳମ୍ବରେ ମାର୍ଚ୍ଚ ମାସରେ ଟେଣ୍ଡର ବକ୍ସ ଖୋଲା ଯାଇଥିଲା। ଖୋଲାଯିବାର ୪ ମାସ ବିତିଯାଇଥିଲେ ମଧ୍ୟ ଟେଣ୍ଡର ଚୂଡ଼ାନ୍ତ ହୋଇପାରିନାହିଁ ଯାହାଫଳରେ ଖୋର୍ଦ୍ଧା ଡାକ୍ତରଖାନାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯଦି ଏହା ତୁରନ୍ତ ଚୂଡ଼ାନ୍ତ କରାନଯାଏ ତେବେ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ। ଆଜିର ଏହି ଦାବିପତ୍ର ପ୍ରଦାନରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ସମ୍ପାଦକ ପ୍ରକାଶ ଦାସ, ଖୋର୍ଦ୍ଧା ଓକିଲ ସଂଘର ସଭାପତି ବିଜୟ କୁମାର ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା ଏବଂ ମଞ୍ଚର  ଅନ୍ୟକର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର