ମାଓବାଦୀଙ୍କ ଭୟ ଥିଲେ ବି ୧୨ କିଲୋମିଟର ପାହାଡି ରାସ୍ତା ଚାଲି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ ଡାକ୍ତରୀ ଦଳ

ମାଲକାନଗିରି: ପାଦରେ ଚାଲି ଚାଲି ଦୀର୍ଘ ୪ ଘଣ୍ଟା ପରେ ମାଓ ଇଲାକାରେ ପହଞ୍ଚିଲେ ୨୦ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ । ମାଓବାଦୀଙ୍କୁ ନେଇ ମନରେ ଭୟ ଥିଲେ ବି ପାହାଡି ମୁଲକର ମଣିଷଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ୧୨ କିଲୋମିଟର ପାହାଡି ରାସ୍ତା ଚାଲିଥିଲେ ଡାକ୍ତର । ଲକ୍ଷ୍ୟ ଥିଲା ଗୋଟିଏ ତୁଳସୀ ପାହାଡ ଚଢି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରିବା ।

ତୁଳସୀ ପାହାଡ । ମାଓବାଦୀଙ୍କ ଅଭେଦ୍ୟ ଗଡ । ଲାଲବାହିନୀର ନାଲି ଆଖିରେ ଥରହର ହୁଅନ୍ତି ପାହାଡ ଉପରେ ରହୁଥିବା ଅଧିବାସୀ । ଘଞ୍ଚ ଜଙ୍ଗଲ ଭରା ଏହି ତୁଳସୀ ପାହାଡର ସ୍ଥିତିରେ ଧିରେ ଧିରେ ପରିବର୍ତ୍ତନ ହେଉଛି । ପାହାଡ ଚଢି ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ ବିଭାଗ ପହଞ୍ଚିପାରିଛି ।

ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ ଉପରେ ସ୍ୱାସ୍ଥ୍ୟ ଶିବିର କରି ଫେରିଛନ୍ତି ମାଥିଲି ସ୍ୱତନ୍ତ୍ର ମେଡିକାଲ ଟିମ୍ । ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ଘଞ୍ଚ ଜଙ୍ଗଲ ଓ ୧୨ କିଲୋମିଟରର ପାହାଡି ରାସ୍ତାରେ ପାଦରେ ଚାଲିଚାଲି ତୁଳସୀ ପାହାଡରେ ପହଞ୍ଚିଥିଲେ । ଅଶାନ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ମାଓବାଦୀଙ୍କୁ ନେଇ ମନରେ ଭୟ ଥିଲେ ବି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ କ୍ୟାମ୍ପର ନିଷ୍ପତ୍ତି ନେଇଥିଲା ସ୍ୱାସ୍ଥ୍ୟ ବିଭାଗ । ୨୦୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ଯୋଗାଇ ଦେଇଛି ଡାକ୍ତରୀ ଟିମ୍ । ଏହାସହ ୧୦୦ ଜଣଙ୍କୁ କରୋନା ଟିକା ଦିଆଯାଇଛି ।

ଗତ କିଛି ଦିନ ତଳେ ତୁଳସୀ ପାହାଡରେ ହୋଇଥିଲା ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଥିଲେ ୩ ଜଣ ମାଓବାଦୀ । ଏଭଳି ସ୍ଥିତିରେ ଅଶାନ୍ତ ହୋଇପଡିଥିବା ତୁଳସୀ ପାହାଡରେ ସ୍ୱାସ୍ଥ୍ୟ ସେବା ଯୋଗାଇ ସୁରକ୍ଷିତ ଭାବେ ଫେରି ଆସିଥିଲେ ଡାକ୍ତରୀ ଦଳ ।

ସମ୍ବନ୍ଧିତ ଖବର