ରାୟଗଡା: ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ତରଫରୁ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଦୁଇଦିନ ଧରି ଆୟୋଜିତ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ମନଭୋରି ଉପଭୋଗ କରିଥିଲେ। ତେବେ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଓଡିଆ ମାଟିର ଗର୍ବ ତଥା ବଲିଉଡ ଓ ଓଲିଉଡ ଗାୟକ ଋତୁରାଜ ମହାନ୍ତି। କଣ୍ଠଶିଳ୍ପୀ ସୋନମ୍ ଦାସ ପ୍ରଥମେ ମଞ୍ଚକୁ ଆସି ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଷଣ କରି ଦର୍ଶକଙ୍କୁ ମତୁଆଲା କରିଥିଲେ। ଡ୍ୟାନ୍ସର ଶୈଳେନ୍ଦ୍ର ସାମନ୍ତରାୟ ଓ ୱାନଏମ କ୍ରିୟୁ ଟିମର କଳାକାର ମାନେ ନନଷ୍ଟପ୍ ଓଡିଆ, ହିନ୍ଦୀ ଓ ତେଲୁଗୁ ଗୀତରେ ନାଚି ବାତାବରଣକୁ ରଙ୍ଗୀନ କରିଥିଲେ। ଶୈଳେନ୍ଦ୍ର ସାମନ୍ତରାୟଙ୍କ ତାଳରେ ତାଳ ଦେଇ ନାଚିବାକୁ ଷ୍ଟେଜ ସମ୍ମୁଖ ଓ ପଡିଆ ମଝିରେ ଯୁବଗୋଷ୍ଠୀଙ୍କ ଭିଡ ଜମିଥିଲା। ଅପେକ୍ଷା ଥିଲା ଋତୁରାଜଙ୍କ। ଋତୁରାଜ ଷ୍ଟେଜରେ ଗୋଟିଏ ପରେ ଗୋଟିଏ ହିଟ୍ ବଲିଉଡ ଗୀତ ଗାଇ ଦର୍ଶକୁ ଗୀତର ତାଳେ ତାଳେ ଝୁମିବାକୁ ବାଧ୍ୟ କରିଥିଲେ। ବନ୍ଦେ ଉତ୍କଳ ଜନନୀ ଗୀତ ଗାଇ ଶ୍ରୋତାଙ୍କୁ ଆନନ୍ଦିତ କରିଥିଲେ ଋତୁରାଜ।
/sambad/media/post_attachments/wp-content/uploads/2023/04/Rgda-singer-Ruturaj-on-stage-3.jpg)
ଋତୁରାଜଙ୍କ ସଙ୍ଗୀତର ମଜା ନେବା ପାଇଁ କାଶୀପୁର, କୋଲନରା, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ରାମନାଗୁଡା, ଗୁଣପୁର ଲୋକଙ୍କ ସମାଗମ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବା ପାଇଁ ପ୍ରାୟ ୧୫ ହଜାର ଲୋକଙ୍କ ସମାଗମ ହୋଇଥିଲା। ଶେଷ ଦିନରେ ବିଷୁବ ବନ୍ଧୁମିଳନ ଉତ୍ସବ କମିଟିର ସଭାପତି ଡଃ. ନିରଂଜନ ପ୍ରସାଦ ବକ୍ସିପାତ୍ର, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ପୌରା ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ବରିଷ୍ଠ ବିଜେଡି ନେତା ୟାଲା କୋଣ୍ଡାବାବୁ ପ୍ରମୁଖ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ସଭ୍ୟ ସନ୍ତୋଷ ପାତ୍ରଙ୍କ ତତ୍ୱବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଦେବାଶିଷ ଖାଡଙ୍ଗା, ସତ୍ୟ ପାଢୀ, ଅଶୋକ ପଣ୍ଡା, ସନ୍ତୋଷ ରଥ, ପାପୁନି ନନ୍ଦ, ସୁଜିତ ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।