ଲାଞ୍ଜିଗଡ଼: ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଏକ ଅଡିଓଟେପ୍ ଜାରି ହୋଇଛି। ଅଡିଓଟେପରେ ଆସନ୍ତା ୧୫ ତାରିଖ ୧୨ ଦଫା ଦାବି ନେଇ ୭ ଜିଲ୍ଲାରେ ବନ୍ଦ ପାଳନ ନିମନ୍ତେ ଆହ୍ୱାନ କରିଛନ୍ତି। ସେହି ଜିଲ୍ଲାଗୁଡ଼ିକ ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଗଜପତି ଓ ନୟାଗଡ଼। ଏହି ଦିନ ଅତି ଆବଶ୍ୟକୀୟ ତଥା ମେଡିକାଲ, ଆମ୍ବୁଲାନ୍ସ, ମେଡିସିନ୍ ଦୋକାନ, କ୍ଷୀର ଗାଡ଼ି ଓ ପରୀକ୍ଷାକେନ୍ଦ୍ର ବାଦ ଦେବା ପାଇଁ ଅଡିଓରେ କହିଛନ୍ତି। ସେହିପରି ୧୨ଟି ଦାବି ଅଡିଓରେ ଜଣାଇଛନ୍ତି।
ଦାବିଗୁଡ଼ିକ ହେଲା ଯୋଗ୍ୟ ଗରିବ ଆଦିବାସୀ ଚାଷୀମୁଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ୱା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ, ପିଡିଏସ୍ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯାଉ, ପ୍ରତ୍ୟେକ ଗାଁକୁ ରାସ୍ତା, ପାନୀୟଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏ ବିଜୁଳି, ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲାଯାଉ, ଖାଲି ଥିବା ଶିକ୍ଷକ ପଦବି ନିଯୁକ୍ତି ତୁରନ୍ତ ପୂରଣ କରାଯାଉ, ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେରେ ଉଚ୍ଚଶିକ୍ଷା ଦିଆଯାଉ, ବିଧବା ଓ ବାର୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି କରିବା, ବେକାରୀଙ୍କୁ ଦାଦନ ଯିବା ରୋକା ଯିବା, ଯେଉଁ ଦିନ ପର୍ଯ୍ୟନ୍ତ ରୋଜଗାର ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ବେକାରୀ ଭତ୍ତା ମାସକୁ ୩୦୦୦ ପ୍ରଦାନ। ମନେରେଗା ଯୋଜନାରେ ବର୍ଷକୁ ୨୦୦ ଦିନ ଏବଂ ଦିନକୁ ମଜୁରି ୬୦୦ ଟଙ୍କା, ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଠାଇ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ଚାଷୀଙ୍କୁ ପେନସନ ପ୍ରଦାନ ସହ ଚାଷୀ ଋଣ ଛାଡ଼ ଓ ପ୍ରତି ବ୍ଲକ୍ରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯିବା ଓ ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କଂପାନିକୁ ଲିଜ୍ ବାତିଲ କରାଯାଇ ଓ ସେହି ସ୍ଥାନରେ ଜଙ୍ଗଲଜାତ ଦ୍ରବ୍ୟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉ ଓ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଶିକ୍ଷକଙ୍କ ଦାବି ତୁରନ୍ତ ମାନି ନିଅନ୍ତୁ ବୋଲି ଅଡିଓରେ ଦାବି କରିଛନ୍ତି। ଏହା ସହ ୧୫ ତାରିଖ ବନ୍ଦ ପାଳନକୁ ସଫଳ କରିବା ସହ ସହଯୋଗ କରିବା ନିମନ୍ତେ ସିପିଆଇ ମାଓବାଦୀ ସଂଗଠନ ଅଡିଓରେ ନିବେଦନ କରିଛନ୍ତି।