ଜୀବିକା ମିସନ ବିପିଏମ୍‌ଙ୍କ ଅଡିଓ ଭାଇରାଲ: ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାମରେ ଟଙ୍କା ମାଗୁଛନ୍ତି

ଟଙ୍କା ଦିଅ, ଚାକିରି ନିଅ

କେନ୍ଦୁଝର: ଟଙ୍କା ଦିଅ, ଚାକରି ନିଅ। ଜିଲ୍ଲା ପ୍ରକଳ୍ପ ମ୍ୟାନେଜରଙ୍କ ନାମରେ ମାଗୁଛନ୍ତି ଟଙ୍କା। ଏଭଳି ଏକ ସାଂଘାତିକ ଅଡିଓ ଜୀବିକା ମିସନର ବିପିଏମଙ୍କ ନାମରେ ଭାଇରାଲ ହେବା ପରେ କେନ୍ଦୁଝରରେ ହଇଚଇ ସୃଷ୍ଟି ହୋଇଛି।

କେନ୍ଦୁଝର ଜିଲ୍ଲା ଜୀବିକା ମିସନ୍‌ ଦ୍ବାରା ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟାପକ ହରିଲୁଟ୍‌ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଏହି ଭାଇରାଲ ଅଡିଓ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଭାଇରାଲ ଅଡିଓରେ ଝୁମ୍ପୁରା ବ୍ଲକର ବିପିଏମ୍ ବା ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବାର୍ତ୍ତାଳାପ ରହିଛି। ଏହି କଥାବାର୍ତ୍ତା ଅନୁସାରେ ଜୀବିକା ମିଶନରେ ପ୍ରତି ପଞ୍ଚାୟତରେ ଜଣେ ମାଷ୍ଟର ବୁକ୍ କିପର ବା ଏମ୍ବିକେ, ଜଣେ ବ୍ୟାଙ୍କ ମିତ୍ର ଏବଂ ପ୍ରାୟ ୧୦ ଜଣ ଲେଖାଏଁ କମ୍ୟୁନିଟି ରିସୋର୍ସ ପର୍ସନ ନିଯୁକ୍ତି ଦିଆଯିବାକୁ ଥିବାରୁ ପ୍ରତ୍ୟେକଙ୍କ ଠାରୁ ଟଙ୍କା ଆଣିବା ପାଇଁ ଖୋଦ୍ ବିପିଏମ୍ କହୁଛନ୍ତି।
କଥାବର୍ତ୍ତା ଅନୁସାରେ, ପ୍ରତି ଏମବିକେ ୩୦ ହଜାର ଟଙ୍କା, ପ୍ରତି ବ୍ୟାଙ୍କ ମିତ୍ର ୩୦ ହଜାର ଟଙ୍କା ଏବଂ ପ୍ରତି କମ୍ୟୁନିଟି ରିସୋ ର୍ସ ପର୍ସନ ୧୦ ହଜାର ଟଙ୍କା ଲେଖାଏଁ ଦେଲେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ପୂର୍ବରୁ ପ୍ରଶ୍ନପତ୍ର ମଧ୍ୟ କୁହାଯିବ ବୋଲି ଖୋଦ୍‌ ବିପିଏମ୍‌ କହୁଥିବାର ଶୁଣାଯାଉଛି। ଜଣେ ମଧ୍ୟସ୍ଥିଙ୍କୁ ଏହି ଟଙ୍କା ଆଦାୟ କରିବାକୁ ବିପିଏମ କହୁଛନ୍ତି। ଆଦାୟ ହେଉଥିବା ଏହି ସମସ୍ତ ଟଙ୍କା ଜିଲ୍ଲାସ୍ତରୀୟ ଅଧିକାରୀ ବା ଡିପିଏମ୍‌ଙ୍କୁ ଦିଆଯିବାକୁ ଥିବା ବେଳେ ନିଯୁକ୍ତି ପରେ ବିପିଏମଙ୍କୁ ଗିପ୍ଟ ଦେବାକୁ କହୁଥିବା ଶୁଣିବାକୁ ମିଳୁଛି।

ଯେଉଁ ନିଯୁକ୍ତି ପାଇଁ ଏହି ଟଙ୍କା ମଗା ଯାଇଥିଲା ଗତ ନଭେମ୍ବର ୧୬ ତାରିଖରେ ଝୁମ୍ପୁରା ବ୍ଲକ ପାଇଁ ଉକ୍ତ ପଦବି ଯଥା ବ୍ୟାଙ୍କ ମିତ୍ର, ମାଷ୍ଟର ବୁକ୍ କିପର ଏବଂ କମ୍ୟୁନିଟି ରିସୋର୍ସ ପର୍ସନ ନିମନ୍ତେ ପରୀକ୍ଷା ଶେଷ ହୋଇଛି। କେବଳ ସେତିକି ନୁହେଁ ନିଯୁକ୍ତି ମଧ୍ୟ ଦିଆସରିଛି। ଫଳରେ ଏହି ନିଯୁକ୍ତିରେ ବଡ଼ ଧରଣର କେଳେଙ୍କାରୀ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଏଦିଗରେ ଖୋଳତାଡ଼ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର