ଖେଲାମେଲା ହୋଇଗଲା ପ୍ରତାପ ନାରାୟଣ ସିଂହଦେଓ ଅଡିଟୋରିୟମ

ଅସମାଜିକ ତତ୍ତ୍ବ, ନିଶାସେବନକାରୀ ଓ ଜୁଆଡ୍ଡିଙ୍କ ପାଲଟିଛି ଅଡ୍ଡା 

ଜୟପୁର: ଫ‌ାୟରଷ୍ଟେସନ୍ ପଡ଼ିଆ ପରିସରରେ ଥିବା ପ୍ରତାପ ନାରାୟଣ ସିଂହଦେଓ ଅଡିଟୋରିୟମ ଶୋଚନୀୟ ଅବସ୍ଥାକୁ ଆସିବା ସହ ଅସମାଜିକ ତତ୍ତ୍ବ।, ନିଶା‌ ସେବନକାରୀ ଓ ଜୁଆଡ୍ଡିଙ୍କ ଆଡ୍ଡା ପାଲଟିଛି। ସମସ୍ତ ଦୁଆରବନ୍ଦ ଓ ଝରକା ଗୁଡିକର କବାଟ ସହ ଲୁହା ଓ ଜାଲି ସବୁ ଗାୟବ ହୋଇ ଯାଇଛି। ଖେଲା ମେଳା ରହୁଥିବାରୁ ‌ଶୌଚାଳୟ ବି ପାଲଟିଯାଇଛି। ଦେଶୀ ଓ ବିଦେଶୀ ମଦ ସହ ବିଭିନ୍ନ ରକମର ନିଶା ସେବନକାରୀ ବିଭିନ୍ନ ବୟସ ବର୍ଗର ଲୋକେ ଏଠାରେ ଜମା ହେଉଛନ୍ତି ବୋଲି ଅଂଚଳବାସୀ କହିଛନ୍ତି। ଏପରିକି କିଛି ନୂଆ ନୂଆ ଚେହେରା ସହ ସଂଦେହାସ୍ପଦ ଲୋକେ ବି ଏଠାକୁ ଆସୁଥିବା କହିଛନ୍ତି। ପ୍ରକାଶଯୋଗ୍ୟ, ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଅଡିଟୋରିୟମ୍ ଉଦଘାଟନ ପରେ ଅଳ୍ପ କିଛି ମାସ ପରେ ହିଁ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ଶୋଚନୀୟ ଅବସ୍ଥାକୁ ପଳାଇଥିଲା। ୪୦୦ରୁ ଉର୍ଦ୍ଧ୍ବ ଷ୍ଟିଲ ଚେୟାରରୁ ମାତ୍ର ଶହେ ଖଣ୍ଡେ ଲୁହା ଚୈକିକୁ ବହୁ କଷ୍ଠରେ ପୌରପାଳିକା ସେଠାରୁ ଆଣି ଏବେ ଟାଉନହଲରେ ପକାଇଛି। ତେବେ ଏଠାରେ ଲାଗିଥିବା ଏସି, ଉପରର ସିଲିଙ୍ଗ ଓ ଅନ୍ୟାନ୍ୟ ବୈଦ୍ୟୁତିକ, ଶୌଚାଳୟ ଗୁଡିକର ସାମଗ୍ରୀ ସବୁ ଗାୟବ ହୋଇଯାଇଛି। ଉପରେ କରାଯାଇଥିବା ସିଲିଂ କିଛି ବି ଆଉ ବଂଚିକି ରହିନି। କବାଟ ଝରକା ସବୁ ଖୋଲା ମେଳା ହୋଇଥିବାରୁ ସଂଧ୍ୟା ହେଲେ ଏହି ଅଂଚଳକୁ ଆସିବାକୁ ବି ଲୋକେ ଭୟ ପ୍ରକାଶ କରୁଛନ୍ତି। ନୂଆ ସାଂସ୍କୃତିକ ମଣ୍ଡକ ଓ ଅଡିଟୋରିୟମ୍ ନିର୍ମାଣ ହେବା ପୂର୍ବରୁ ଏହାକୁ ତୁରନ୍ତ ପୁନଃରୁଦ୍ଧାର କରାଯାଉ ବୋଲି ସହରର ବରିଷ୍ଠ କଳାକାରମାନେ ଦାବି କରିଛନ୍ତି। ନୂଆ ପାରିଷଦ ନିର୍ବାଚନ ସରିବା ପରେ ପାରିଷଦ ସାଧାରଣ ବ‌ୈଠକରେ ଏହାକୁ ପୁନଃରୁଦ୍ଦାର କରିବା ପାଇଁ ବି କାଉନସିଲର ଦାବି ଉପସ୍ଥାପନ କରିଥିଲେ।

Sambad

ବୈଠକରେ ବି ଏହାକୁ ପୁନଃ ରୁଦ୍ଧାର କରିବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। କୋରାପୁଟ ପୌରପାଳିକା ଅଧିନରେ ନିର୍ମାଣ ହୋଇଥିବା ଅଡିଟୋରିୟମର ଅବିକଳ କରି ପୁନଃରୁଦ୍ଧାର କରିବା ଲକ୍ଷ୍ୟ ରହିଛି। ଏଥିପାଇଁ ୬୦ଲକ୍ଷ ଖର୍ଚ୍ଚ ହେବ। ଏହି ଅନୁଦାନ ପାଇଁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। କେବଳ ଅଡିଟୋରିୟମରୁ ଅଳ୍ପ କିଛି ଲୁହା ଚୌକି ଆଣି ଟାଉନହଲରେ ପକାଯାଇଛି, ଆଉ ବଳକା ସେଠାରେ ଥିବା ଚୌକି ଓ ଏସିଓ ଅନ୍ୟାନ୍ୟ ସାମଗ୍ରୀ କଥା ସେ ଜାଣି ନାହାନ୍ତି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ନିଶାଡ଼ି, ଜୁଆଡ୍ଡି ମାନଙ୍କ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ କରୁଥିବା ତତ୍ତ୍ବ ମାନେ ଏହାରି ପରିସରରେ ଆଡ୍ଡା ଜମାଇବା ସହ ମାରାଣାତ୍ସ ଗୁଡିକ ରଖି ବହୁ ସମୟରେ ଛୋଟ ବଡ ଗଣ୍ଡଗୋଳ, ମାରପିଟ୍‌ ବି ଜାରୀ ରହିଛି। ତୁରନ୍ତ ପୌରପାଳିକା ନିଜ ଅଧିନକୁ ନେଇ ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନ କଲେ ବାରଣ୍ଡାରେ ଲାଗିଥିବା ଲୁହା ଜାଲି ବି ଗାୟବ ହେବା ସମ୍ଭାବନା ସହ ବଡ଼ ଧରଣର ଅଘଟଣକୁ ଏଡାଇ ଦେଇ ହେବ ନାହିଁ ବୋଲି ଅଂଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର