ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଟେବୁଲ ଶୀର୍ଷ ସ୍ଥାନ ପାଇଁ ଲଢ଼େଇ ହୋଇଥିଲା। ପୁଲ୍‌ ‘ଏ’ର ଶେଷ ମ୍ୟାଚ୍‌କୁ ଜିତି ଅଷ୍ଟ୍ରେଲିଆ ସର୍ବାଧିକ ୭ ପଏଣ୍ଟ୍‌ ସହ ଟପ୍ପର ହୋଇଛି। ଏହାସହ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଅପରପକ୍ଷରେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ ଅମୀମାଂସିତ ରହିଥିଲେ ସୁଦ୍ଧା ସର୍ବାଧିକ ଗୋଲ୍‌ ବ୍ୟବଧାନ ଯୋଗୁଁ ଆର୍ଜେଣ୍ଟିନା ଦ୍ବିତୀୟ ସ୍ଥାନରେ ରହିଛି। କ୍ରସ୍ଓଭର୍‌ ମାଧ୍ୟମରେ କ୍ବାର୍ଟର ଫାଇନାଲ ପ୍ରବେଶ କରିବାକୁ ଆର୍ଜେଣ୍ଟିନା ପାଖରେ ଆଉ ଗୋଟିଏ ସୁଯୋଗ ବାକି ରହିଛି।

Advertisment

publive-image

ଶୁକ୍ରବାର ପୁଲ୍‌ ‘ଏ’ର ଶେଷ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ସଂପୂର୍ଣ୍ଣ ଏକତତରଫା ଭାବେ ୯-୨ ଗୋଲ୍‌ରେ ଜିତିନେଇଛି। ମ୍ୟାଚ୍‌ର ଚତୁର୍ଥ ମିନିଟ୍‌ରେ ଅଷ୍ଟ୍ରେଲିଆର ବ୍ଲାକ୍‌ ଗୋଭର୍ସ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଏହାର ଚାରି ମିନିଟ୍‌ ପରେ ଦକ୍ଷିଣ ଆଫ୍ରିକାର ନୋବିଲ ଏନ୍‌ଟୋଲି ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲେ। ଏହାପରେ ଅଷ୍ଟ୍ରେଲିଆ ଆକ୍ରମଣକୁ ଜୋର୍‌ଦାର କରିଥିଲା। ବ୍ଲାକ୍‌ ଗୋଭର୍ସ୍‌ଙ୍କ ଆଉ ତିନିଟି ଗୋଲ୍‌ (୧୫, ୧୯, ୨୦ ମିନିଟ୍‌) ଏବଂ ଟମ୍‌ କ୍ରେଗ୍‌ (୧୦), ଜ୍ୟାକ୍‌ ହାର୍ଭି (୨୨), ଡାନିଏଲ ବିଲି (୨୮), ଜେରେମୀ ହେୱାର୍ଡ (୩୨) ଓ ଟିମ୍‌ ବ୍ରାଣ୍ଡ୍‌ (୪୭)ଙ୍କ ଗୋଲ୍‌ ବଳରେ ସ୍କୋର୍‌ ୯-୧ରେ ପହଞ୍ଚିଥିଲା। ତେବେ ମ୍ୟାଚ୍‌ର ୫୮ତମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାର ଟେଭିନ କକ୍‌ ଗୋଟିଏ ଗୋଲ୍‌ ଦେଇ ବ୍ୟବଧାନ ହ୍ରାସ କରିଥିଲେ। ସର୍ବାଧିକ ୪ଟି ଗୋଲ୍‌ ସ୍କୋର୍‌ କରିଥିବାରୁ ଅଷ୍ଟ୍ରେଲିଆର ବ୍ଲାକ ଗୋଭର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ପୁଲ୍‌ ‘ଏ’ର ଶେଷ ଲିଗ୍‌ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହୋଇଥିଲା। ମ୍ୟାଚ୍‌ର ଶେଷ ମିନିଟ୍‌ରେ ଉଭୟ ଦଳ ଗୋଟିଏ ଲେଖାଏ ସ୍କୋର୍‌ କରି ଚମତ୍କାର ଢଙ୍ଗରେ ମ୍ୟାଚ୍‌କୁ ଅମୀମାଂସିତ ରଖିଥିଲେ। ଏହାସହ ବିଶ୍ବକପ୍‌ରେ ଫ୍ରାନ୍ସ ବିପକ୍ଷରେ ଗୋଟିଏ ବି ମ୍ୟାଚ୍‌ ଜିତିନଥିବା ଆର୍ଜେଣ୍ଟିନାର ରେକର୍ଡ ଅତୁଟ ରହିଥିଲା। ମ୍ୟାଚ୍‌ ପ୍ରଥମ ମିନିଟ୍‌ରୁ ଉଭୟ ଦଳର ଆକ୍ରମଣ ପ୍ରତିଆକ୍ରମଣ ଆରମ୍ଭ ହୋଇଯାଇଥିଲା। ତୃତୀୟ ମିନିଟ୍‌ରେ ଆର୍ଜେଣ୍ଟିନାର ନିକୋଲାସ କିନନ୍‌ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ।  ତେବେ ୧୧ତମ ମିନିଟ୍‌ରେ ଫ୍ରାନ୍ସର ଏଟିଏନ ଟାଇନିଭେଜ୍‌ ଗୋଲ୍‌ ଶୁଝି ସ୍ଥିତି ସମାନ କରିଥିଲେ। ୩୪ତମ ମିନିଟ୍‌ରେ ଆର୍ଜେଣ୍ଟିନାର ନିକୋଲାସ ଡେଲା ଟୋର୍‌ ଆଉ ଏକ ଗୋଲ୍‌ ଦେଇ ସ୍କୋର ୨-୧ରେ ପହଞ୍ଚାଇଥିଲେ। ତେବେ ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ୍‌ ଲାଗ୍‌ ଲାଗ୍‌ ଦୁଇଟି ଗୋଲ୍‌ (୩୬ ଓ ୩୮ ମିନିଟ୍‌) ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ।

ଆର୍ଜେଣ୍ଟିନା ଦଳ ପୁଣି ପ୍ରଭାବୀ ପ୍ରତ୍ୟାବର୍ତ୍ତନ କରିଥିଲା। ନିକୋଲାସ୍‌ଙ୍କ ଆଉ ଏକ ଗୋଲ୍‌ ଯୋଗୁଁ ସ୍କୋର୍‌ ୩-୩ରେ ସମାନ ରହିଥିଲା। ମ୍ୟାଚ୍‌ର ୪୯ତମ ମିନିଟ୍‌ର ଫ୍ରାନ୍ସ ଅଧିନାୟକ ଭିକ୍ଟର ଆଉ ଏକ ଗୋଲ୍‌ ଦେଇ ଦଳକୁ ଆଗୁଆ କରିଥିବା ବେଳେ ଆର୍ଜେଣ୍ଟିନାର ମାର୍ଟିନ ଫେରେରୋ (୫୧ ମିନିଟ୍‌) ଗୋଲ୍‌ ଶୁଝି ସ୍ଥିତି ୪-୪ କରିଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ମାତ୍ର ୫୩ ସେକେଣ୍ଡ୍‌ ବାକିଥିବା ବେଳେ ଫ୍ରାନ୍ସ ଅଧିନାୟକ ଆଉ ଏକ ଗୋଲ୍‌ ଦେଇ ଦଳକୁ ୫-୦ରେ ଆଗୁଆ କରିଥିଲେ। ଏହାପରେ ଉତ୍‌ଫୁଲ୍ଲିତ ହୋଇପଡ଼ିଥିଲେ ଫ୍ରାନ୍ସ ଖେଳାଳି। କିନ୍ତୁ ମ୍ୟାଚ୍‌ ଶେଷ ହେବାର ମାତ୍ର ୭ ସେକେଣ୍ଡ୍‌ ପୂର୍ବରୁ ଆର୍ଜେଣ୍ଟିନାର ନିକୋଲାସ ପେନାଲ୍‌ଟି କର୍ଣ୍ଣର୍‌କୁ ଚମତ୍କାର ଗୋଲ୍‌ରେ ପରିବର୍ତ୍ତନ କରି ଷ୍ଟାଇଲରେ ମ୍ୟାଚ୍‌କୁ ଡ୍ର’ କରିଥିଲେ। ସର୍ବାଧିକ ୪ଟି ଗୋଲ୍‌ ସ୍କୋର କରିଥିବା ଫ୍ରାନ୍ସ ଅଧିନାୟକ ଭିକ୍ଟର ଚାର୍ଲେଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

୪ ମ୍ୟାଚ୍‌ରେ ୫ ହ୍ୟାଟ୍ରିକ୍‌

ଶୁକ୍ରବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୋଟ୍‌ ୪ଟି ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଥିଲା। ଏହି ୪ଟି ମ୍ୟାଚ୍‌ରେ ୫ଟି ହ୍ୟାଟ୍ରିକ୍‌ ଦେଖିବାକୁ ମିଳିଛି। ପୁଲ୍‌ ଏ’ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବ୍ଲାକ୍‌ ଗୋଭର୍ସ ମ୍ୟାଚ୍‌ର ୧୫, ୧୯ ଓ ୨୦ ତମ ମିନିଟ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲେ। ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଫ୍ରାନ୍ସର ଭିକ୍ଟର ଚାର୍ଲଟ ୩୫, ୩୭, ୪୮ ଓ ୫୯ ମିନିଟ୍‌ରେ ଗୋଲ୍‌ ଦେଇ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ୍‌ ୩୩, ୪୧, ୫୯ ମିନିଟ୍‌ରେ ଗୋଲ୍‌ ଦେଇ ବ୍ୟବଧାନ କମାଇଥିଲେ। ପୁଲ୍‌ ବି’ରେ ଜାପାନ ବିପକ୍ଷ ମ୍ୟାଚ୍‌ରେ ବେଲଜିୟମର ଟମ ବୁମ୍‌ ବ୍ୟକ୍ତିଗତ ୫ ଗୋଲ୍‌ ମଧ୍ୟରୁ ୨୨, ୨୭ ଓ ୨୮ ମିନିଟ୍‌ରେ ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିଲା ବେଳେ ଚତୁର୍ଥ ମ୍ୟାଚ୍‌ରେ ଜର୍ମାନୀର ନିକଲାସ ୱେଲେନ କୋରିଆ ବିପକ୍ଷରେ ଦିନର ଶେଷ ହ୍ୟାଟ୍ରିକ୍‌ ଗୋଲ୍‌ (୨, ୧୭,୪୧ ମିନିଟ୍‌) ଦେଇଥିଲେ।

publive-image