ଅନୁଗୁଳ : ଗାଁରୁ ଗଡିବ ଅଟୋ-ଆମ୍ବୁଲାନ୍ସ 

ରୋଗୀ-ଡ୍ରାଇଭର ମଝିରେ ଭିଡା ହେବ ଜରି

ଅନୁଗୁଳ : ଦିନକୁ ଦିନ ଭୟଙ୍କର ରୂପ ଦେଖାଇଲାଣି ଭୂତାଣୁ। ସ୍ଥିତି ବର୍ତମାନ ଏମିତି ଯେ, ସହର ଅପେକ୍ଷା ଗାଁରେ ଆକ୍ରାନ୍ତ ସଂଖ୍ୟା ଢେର ବଢ଼ିଲାଣି। ଗାଁ ରୋଗୀ ମେଡିକାଲ ଆସିବା କାଠିକର ପାଠ ହୋଇ ପଡୁଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ଏଥିପାଇଁ ଗାଁରେ ଅଟୋ-ଆମ୍ବୁଲାନ୍ସ ଯୋଜନା ଆରମ୍ଭ କରିଛି। ବିଭିନ୍ନ ପଂଚାୟତରେ ରୋଗୀଙ୍କୁ ମେଡିକାଲ ଯାଏଁ ପହଞ୍ଚାଇବା ପାଇଁ ଗୋଟିଏ ଅଟୋ ସଂରକ୍ଷିତ ରହିବ। ଲୋକଙ୍କ ଠାରୁ ଡାକରା ପାଇବା କ୍ଷଣି ରୋଗୀଙ୍କୁ ଅଟୋ ଯେମିତି ମେଡିକାଲ ରେ ପହଂଚାଇବ ସେନେଇ ବିଧିବଦ୍ଧ ଭାବେ ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ ଭିଡ଼ିଓ କଂଫେରେନ୍ସି ଜରିଆରେ ବିଡ଼ିଓ ଓ ସରପଞ୍ଚ ଙ୍କ ସହ ଆଲୋଚନା କରିଛନ୍ତି।

ପ୍ରାପ୍ତ ତଥ୍ୟ ମୁତାବକ, ଅଟୋ-ଆମ୍ବୁଲାନ୍ସ ବ୍ୟବସ୍ଥା ପୂର୍ବରୁ ପ୍ରତି ବ୍ଲକ ରେ ପ୍ରାୟ ଦୁଇ ରୁ ଅଧିକ ସରକାରୀ ଆମ୍ବୁଲାନ୍ସ ଗାଡି ରହିଛି। ଅନେକ ସମୟରେ ଜଣେ ରୋଗୀକୁ ନେଇ ଆମ୍ବୁଲାନ୍ସ ଡାକ୍ତରଖାନା କୁ ଯାଇଥିବା ବେଳେ ଅନ୍ୟ ରୋଗୀ ଗୁରୁତର ହେଲେ ତାଙ୍କୁ ଡାକ୍ତରଖାନା ନେବାକୁ ଗାଡି ନାହିଁ। ଗାଁରେ ରୋଗୀ କୁ ଛୁଇଁବାକୁ ଲୋକେ ନାରାଜ। ଗାଁ ଗାଡ଼ିରେ ଲୋକଙ୍କୁ ଡାକ୍ତର ଖାନା କୁ ନେବାକୁ ବି ଲୋକେ ଭୟ କରୁଛନ୍ତି।
ବର୍ତମାନ ସମୟରେ ହଠାତ ରୋଗୀଙ୍କର ଅକ୍ସିଜେନ ଲୋଡ଼ା ପଡୁଛି।
ଠିକ ସମୟରେ ରୋଗୀ ଟିଏ ଡାକ୍ତରଖାନା ଯାଏ ପହଂଚି ନ ପାରିଲେ ଜୀବନ ଚାଲି ଯିବାର ଭୟ ଅଛି। ତେଣୁ, ଆମ୍ବୁଲାନ୍ସ ଅନୁପସ୍ଥିତି ରେ ଏହି ଅଟୋ-ଆମ୍ବୁଲାନ୍ସ ଯେମିତି ଲୋକଙ୍କୁ ଅନ୍ତତଃ ଡାକ୍ତରଖାନା ଯାଏ ପହଞ୍ଚାଇ ଜୀବନ ବଞ୍ଚାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରିଛି।

ଏଥିପାଇଁ ସରପଞ୍ଚ ଓ ବିଡ଼ିଓ ମାନଙ୍କ ସହ ଆଲୋଚନା ହୋଇଛି। ଅନ୍ତଃତ ଦୁଇ ତିନୋଟି ପଂଚାୟତ ରେ ଗୋଟିଏ ଲେଖାଏଁ ଅଟୋ ଏହି ସେବା ଯୋଗାଇବା ପାଇଁ ଠିକ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଟୋ ଗୁଡିକ କୋଭିଡ ହସ୍ପିଟାଲ କୁ ଯିବେ ନାହିଁ। ସରକାରୀ ଆମ୍ବୁଲାନ୍ସ ଅନୁପସ୍ଥିତି ରେ ରୋଗୀକୁ କେବଳ ଗାଁରୁ ବ୍ଲକ ମୁଖ୍ୟ ଡାକ୍ତରଖାନା (ସିଏଚସି) ଯାଏ ନେବେ।

ପ୍ରତି ସିଏଚସି ରେ ଫ୍ଲୁ ସେଣ୍ଟର କରାଯାଇଛି। ଯେଉଁଠି ଅକ୍ସିଜେନ ସିଲିଣ୍ଡର ଠାରୁ ଆରମ୍ଭ କରି ସବୁ ପ୍ରକାର ର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଗାଁରେ ଗୁରୁତର ଥିବା ରୋଗୀ ଟି ଅଟୋ-ଆମ୍ବୁଲାନ୍ସ ଜରିଆରେ ସିଏଚସି ଯାଏ ପହଂଚି ଗଲେ ସେଠି ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବ। ଅବସ୍ଥା ଅତି ଗୁରୁତର ଥିଲେ, ଏଠାରୁ ସରକାରୀ ଆମ୍ବୁଲାନ୍ସ ରେ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯିବ। ଅଟୋ-ଆମ୍ବୁଲାନ୍ସକୁ କୋଭିଡ ହସ୍ପିଟାଲ ଯିବା ଆବଶ୍ୟକ ନାହିଁ।
ରୋଗୀଙ୍କୁ ପରିବହନ କଲା ବେଳେ ଡ୍ରାଇଭର ର ସୁରକ୍ଷା ପାଇଁ ତାଙ୍କୁ ଆବଶ୍ୟକ ମାସ୍କ, ସାନିଟାଇଜର ଦିଆଯିବ। ଆଗରେ ଡ୍ରାଇଭର ବସିବେ, ପଛରେ ରୋଗୀ ବସିବେ। ଡ୍ରାଇଭର ଓ ରୋଗୀ ମଧ୍ୟରେ ଜରି ଭିଡା ଯିବ। ଯାହା ଦ୍ଵାରା ରୋଗୀ ଠାରୁ ଡ୍ରାଇଭର ଯେମିତି ସଂକ୍ରମିତ ନ ହୋଇ ପାରିବେ ସେ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ସାହୁ ସମ୍ବାଦ କୁ କହିଛନ୍ତି।
ଆଶା କିମ୍ବା ଅଙ୍ଗନବାଡି କର୍ମୀ ନିଜର ଗାଡି ଥିଲେ ଅଟୋ-ଆମ୍ବୁଲାନ୍ସ ପଛରେ ଯାଇ ଡାକ୍ତରଖାନା ରେ ପହଞ୍ଚିବେ। ତାଙ୍କ ଚିକତ୍ସା ବିଷୟରେ ବୁଝିବାକୁ କୁହା ଯାଇଛି।
ଅଟୋ-ଆମ୍ବୁଲାନ୍ସରେ ଷ୍ଟିକର ମରାଯିବ। ସେମାନଙ୍କର ମୋବାଇଲ ନମ୍ବର ପଞ୍ଚାୟତ କାର୍ଯ୍ୟାଳୟ ରେ ମରାଯିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଅଟୋ ଭଡା ବ୍ୟବସ୍ଥା କରାଯାଇଛି। ୧୦ କିଲୋମିଟର ପାଇଁ ୧୨୦ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।
ଏ ପ୍ରକାର ସେବା ପାଇଁ କିଛି ଅଟୋ ଡ୍ରାଇଭର ରାଜି ହୋଇ ଥିବା ବେଳେ ଅନେକ ପଂଚାୟତ ରେ ଏଥିପାଇଁ ଅଟୋ ବ୍ୟବସ୍ଥା ହୋଇ ପାରୁନି। ରୋଗୀଙ୍କୁ ନେଲା ବେଳେ ନିଜ ଜୀବନ ବି ବିପଦ ଥିବାରୁ ଅଟୋ ଚାଳକ ମାନେ ଅରାଜି ହେଉଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର