ରାୟଗଡା: ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଚାନ୍ଦିଲି ପୁଲିସ ଥାନା ଅଧୀନରେ ରହିଥିବା କୋଲନରା ଗ୍ରାମର ଢ଼େପସାହିର ନକୂଳ ଚିନ୍ତାଙ୍କ ଏକ ଅଟୋକୁ କେହି ଦୁର୍ବୃତ୍ତ ନିଆଁଲଗାଇ ପୋଡି ଦେଇଥିବା ଦେଖିବାକୁ ମିଳିଛି। ଅଟୋ (ଓଡି ୧୮- ଇ-୯୬୩୯)ଟି ନିଆଁରେ ସମ୍ପୂର୍ଣ ଭାବେ ଜଳିଯାଇଛି। ପ୍ରତ୍ୟେକ ଦିନ ପରି ଶୁକ୍ରବାର ରାତିରେ ନକୁଳ ଅଟୋକୁ ଆଣି ନିଜ ଘର ସମୁଖରେ ରଖିଥିଲେ। କିନ୍ତୁ ରାତ୍ରି ପ୍ରାୟ ୩ ଘଂଟିକା ସମୟରେ ଏହା ହଠାତ ଜଳିଯାଇଥିଲା।
ଏହି ସମୟରେ ଏକ ଛୋଟ ପିଲା ପରିସ୍ରା ପାଇଁ ବାହାରକୁ ଆସିଥିବା ସମୟରେ ଅଟୋଟି ଜଳୁଥିବାର ଦେଖି ଚିତ୍କାର କରିବାରୁ ସାହି ଲୋକମାନେ ଉଠି ଏକତ୍ରିତ ହୋଇଥିଲେ। ଗ୍ରାମବାସୀ ତୁରନ୍ତ ନିଆଁରେ ଜଳୁଥିବା ଅଟୋକୁ ପାଣି ଢାଳି ଆୟତ୍ତ କରିଥିଲେ। କିନ୍ତୁ ଅଟୋର ଅଧିକାଂଶ ନିଆଁରେ ପୋଡି ଯାଇଥିଲା।
ନକୁଳ କହୁଛନ୍ତି ଯେ ମୁଁ ମୋର କାମ ସାରି ସବୁବେଳେ ଅଟୋ ଘର ସାମ୍ନାରେ ରଖେ। ଠିକ ସେହିପରି ଶୁକ୍ରବାର ରାତ୍ର ସମୟରେ ଅଟୋ ରଖି ଥିଲି। ସବୁ ଠିକଠାକ ଥିଲା।କିଏ କାହିଁକି ମୋ ଅଟୋରେ ନିଆଁ ଲଗଇଲେ ମୁଁ ଜାଣି ନାହିଁ। ମୋର କାହା ସହିତ ମନମାଳିନ୍ୟ କିମ୍ବା ଶତ୍ରୁତା ନାହିଁ ମୋ ଅଟୋ ଭଲ ତ ମୁଁ ଭଲ ବୋଲି ନକୁଳ କହିଛନ୍ତି। ଏନେଇ ଚାନ୍ଦିଲି ଥାନାରେ ନକୁଳ ଏତଲା ଦେଇଥିବା ଜଣାପଡିଛି।