ନିଶାଦେଇ ଲୁଟିଲା ଅଟୋଚାଳକ

ରାସ୍ତାକଡ଼ରୁ ସଂଜ୍ଞାହୀନ ଦମ୍ପତି ଉଦ୍ଧାର

ଧଉଳି: ଶନିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଧଉଳି ଥାନା ପୁଲିସ ସ୍ଥାନୀୟ ନୂଆଗାଁ ରାସ୍ତାକଡ଼ରୁ ଏକ ଦମ୍ପତିଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସେମାନେ ଭଦ୍ରକରୁ ଭୁବନେଶ୍ବର ଆସିଥିବା ଜଣାପଡ଼ିଥିଲେ ବି ପୂରା ପରିଚୟ ମିଳିପାରିନାହିଁ। ପୁଲିସ ଉତ୍ତରା ଅଞ୍ଚଳରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ଜଣେ ଅଟୋଚାଳକ ସେମାନଙ୍କୁ ନିଶାଯୁକ୍ତ ମୃ୍ଦୁପାନୀୟ ଦେଇ ଲୁଟିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇଥିବା ଜଣାପଡ଼ିଛି।

ଶନିବାର ନୂଆଗାଁ ଅଞ୍ଚଳର କିଛି ଲୋକ ଦମ୍ପତିଙ୍କୁ ରାସ୍ତାକଡ଼ରେ ପଡ଼ିଥିବା ଦେଖି ତୁରନ୍ତ ଧଉଳି ଥାନାକୁ ଖବର ଜଣାଇଥିଲେ। ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବାଳକାଟି ହସ୍ପିଟାଲକୁ ନେଇଥିଲା। ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ସେମାନେ କୌଣସି ନିଶା ପ୍ରଭାବରେ ଏଭଳି ଅବସ୍ଥାରେ ପଡ଼ିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସଂଜ୍ଞା ଫେରିଥିଲା। ଏହାପରେ ସେମାନେ ସେମାନଙ୍କ ବ୍ୟାଗ୍‌ ଖୋଜିଥିଲେ। ମହିଳାଜଣଙ୍କ ତାଙ୍କ ଦେହର ଗହଣା ଖୋଜିଥିଲେ। ପରେ ସେମାନେ ମନେ ପକାଇ ପକାଇ କହିଥିଲେ ଯେ ସେମାନେ ଭଦ୍ରକରୁ ଆସି ବରମୁଣ୍ଡାରେ ବସ୍‌ରୁ ଓହ୍ଲାଇଥିଲେ। ଉତ୍ତରାରେ ଥିବା ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏକ ଅଟୋ ଭଡ଼ା କରିଥିଲେ। ବାଟରେ ଅଟୋ ଚାଳକ ନିଜେ ଥଣ୍ଡା ପିଇବା ସହ ସେମାନଙ୍କୁ ଦେଇଥିଲା। ସେମାନେ ପ୍ରଥମେ ମନା କରିଥିଲେ ବି ଅଟୋଚାଳକ ଭୁଲାଣିଆ କଥା କହି ସେମାନଙ୍କୁ ଥଣ୍ଡା ଦେଇଥିଲା। କିଛି ସମୟ ପରେ ସେମାନେ କିଛି ଜାଣିପାରିନଥିଲେ। ଅଟୋ ଚାଳକ ସେମାନଙ୍କ ବ୍ୟାଗ୍‌ ନେଇଯାଇଛି। ସେଥିରେ ୫ ହଜାର ଟଙ୍କା ଥିଲା। ସେହିଭଳି ମହିଳାଙ୍କ ହାତରୁ ମୁଦି, କାନଫୁଲ ଓ ଅନ୍ୟାନ୍ୟ ଅଳଙ୍କାର ବି ଲୁଟି ନେଇଛି।

ସମ୍ବନ୍ଧିତ ଖବର