କେନ୍ଦୁଝର: ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେନ୍ଦୁଝରରେ ଆଜିଠାରୁ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷା ବ୍ୟବସ୍ଥା (ଏଡିଟିଏସ୍‌) ରାଙ୍କିଠାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୦ଜଣ ଏହି ନୂତନ ବ୍ୟବସ୍ଥାରେ ପରୀକ୍ଷା ଦେଇଇଥିବା ଜଣାପଡ଼ିଛି। ଏଡିଟିଏସ୍‌ରେ ଶତ ପ୍ରତିଶତ ସ୍ୱଚ୍ଛତା ରହିବା ସହ ସିସି କ୍ୟାମେରା ଜରିଆରେ ଆବେଦନକାରୀଙ୍କ ଗାଡ଼ାଚାଳନା ପରୀକ୍ଷାକୁ ସଠିକ ଓ ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି। ଡ୍ରାଇଭିଂ ଲାଇସେନ୍ସ ପାଇବାପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଏଡିଟିଏସ୍‌ରେ ସିସି କ୍ୟାମେରା ଓ ଭିଡିଓ ଆନାଲିଟିକ ସିଷ୍ଟମ ଜରିଆରେ ଆବେଦନକାରୀଙ୍କ ଗାଡ଼ାଚାଳନା ପରୀକ୍ଷା ନିର୍ଭୁଲ ଭାବେ ଯାଞ୍ଚ କରାଯାଉଛି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଯାହା ନିୟମ ରହିଛି ତାହାକୁ ପାଳନ କରି ୬ଟି ପଦ୍ଧତିକୁ ଅତିକ୍ରମ କରି ଗାଡ଼ି ଚଳାଇ ପାରିଲେ ଆବେଦନକାରୀଙ୍କୁ ତୁରନ୍ତ ପାସ୍‌ କରାଯିବ। ଆବେଦନକାରୀ ଅନଲାଇନ୍‌ରେ ଆବେଦନ କରିବା ପରେ ପରିବହନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଟ୍ରାକ୍‌ରେ ପରୀକ୍ଷା କରାଯିବ। ଦକ୍ଷତାସମ୍ପନ୍ନ ଚାଳକଙ୍କୁ ଲାଇସେନ୍ସ ଯୋଗାଇ ଦିଆଯିବ। ଏ ସମ୍ପର୍କରେ କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳକୃଷ୍ଣ ଦାସ କହିଛନ୍ତି, ଏଡିଟିଏସ୍ ପାଇଁ ମୋଟ ୨୬ ଟି କ୍ୟାମେରା ଲାଗିଛି। ୬ଟି ସୋପାନରେ ଡ୍ରାଇଭିଂ ପରୀକ୍ଷା ହେବ। ସେଗୁଡିକ ହେଲା ଓଭରଟେକ୍‌, ଜେବ୍ରା କ୍ରସିଂ, ଏସ୍ ଟ୍ରାକ, ପାରାଲାଲ ପାର୍କିଂ, ଗ୍ରାଡିଏଣ୍ଟ ଏବଂ ଏଇଟ୍ (୮) ଟ୍ରାକ୍ ସବୁ ସିଷ୍ଟମରେ ଭିଜୁଆଲ ଆନାଲାଇଜ୍ କରାଯାଇ ପରୀକ୍ଷା କରାଯିବ। ଚାଳକଙ୍କୁ ୬ଟି ଯାକ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିବ। ଯାହାକି ସିଷ୍ଟମ ଦ୍ୱାରା ପ୍ରଦର୍ଶିତ ହେବ। ଗୋଟିଏରେ ଫେଲ୍‌ ହେଲେ ତାଙ୍କୁ ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ଚାଳକ ମଧ୍ୟ ଜାଣିପାରିବ ସେ କେଉଁ ସୋପାନରେ ଫେଲ୍‌ ହେଲେ। ଏହାପରେ ସେ ପ୍ରସ୍ତୁତ ହୋଇ ପୁଣି ପରୀକ୍ଷା ଦେବେ। ଏହା ସମ୍ପୂର୍ଣ୍ଣ ଭିଜୁଆଲ ଆନାଲିସିସ ଦ୍ୱାରା ହେଉଥିବାରୁ ଏଥିରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ କିମ୍ବା ଦଲାଲଙ୍କ ଭୂମିକା ରହିବ ନାହିଁ। ଏହି ବ୍ୟବସ୍ଥା ଦ୍ବାରା ଉତ୍ତମ ଓ ଅଭିଜ୍ଞ ଚାଳକ ସୃଷ୍ଟି ହେବେ। ଦୁର୍ଘଟଣା ହାର କମିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦାସ କହିଛନ୍ତି।