ଉତ୍କେଲାରୁ ବିମାନ ଉଡ଼ାଣ ଲାଇସେନ୍ସ, ୨ ଜଣିଆ ଡିଜିସିଏ ଟିମ୍‌ର ସମୀକ୍ଷା

କେସିଙ୍ଗା: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ନେଇ ଟୁ-ବି ଲାଇସେନ୍ସ ପ୍ରଦାନ ପାଇଁ ଶୁକ୍ରବାର ଡିଜିସିଏର ଦୁଇ ଜଣିଆ ଟିମ୍‌ ସମୀକ୍ଷା ପାଇଁ ଉତ୍କେଲା ପହଞ୍ଚିଛନ୍ତି। ଡିଜିସିଏର ମନୀଷ ଠାକୁର ଓ ଧୂସର ମଣ୍ଡଳ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଉତ୍କେଲା ଆସିଥିଲେ। ନୂତନ ଭାବରେ ନିର୍ମିତ ବିମାନ ବନ୍ଦର ବୁଲି ଦେଖିଥିଲେ। ଏହି ସମୟରେ ଏଜିଏମ୍‌ ଏଟିସି, ପାଇଲଟ, ଏମଇଟି ଅଧିକାରୀ, ଏଟିସି ଅଧିକାରୀ ପ୍ରମୁଖଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ସୁରକ୍ଷା ବିଭାଗ, ଟ୍ରାଫିକ କଣ୍ଟ୍ରୋଲ ପାଇଁ ଲାଗିଥିବା ଟାୱାର କମ୍ପାନି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ। ଶୁକ୍ରବାର କିଛି ସ୍ଥାନ ବୁଲି ଦେଖି ଆଲୋଚନା କରିଥିବା ବେଳେ ଶନିବାର ବଳକା ସ୍ଥାନ ଦେଖି ଅଧିକାରୀଙ୍କ ସହ ଆଲୋଚନା କରି ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଡିଜିସିଏ କର୍ତ୍ତୃପକ୍ଷଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା। ବର୍ତ୍ତମାନ ଏହି ବିମାନ ବନ୍ଦର ଟୁ-ବି ଅନୁଯାୟୀ ହୋଇଛି। ଏଭିଏସନ ବିଭାଗର ଜଣେ ନୋଡାଲ ଅଧିକାରୀଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଗାଇଡ୍‌ଲାଇନ ଅନୁଯାୟୀ ସମ୍ପାଦନ ହୋଇଛି। ଏଣୁ ଲାଇସେନ୍ସ ମିଳିବାର ବହୁ ସମ୍ଭାବନା ରହିଛି। ବର୍ତ୍ତମାନ ଟୁ-ବିରେ ୯୦୦ ମିଟର ରନ୍‌ୱେ ରହିଛି। ଏହି ମଧ୍ୟରେ କେନ୍ଦ୍ର ସରକାର ପୁଣି ଏହି ବିମାନ ବନ୍ଦରକୁ ଥ୍ରି-ସି ଘୋଷଣା କରିଛନ୍ତି। ଜମି ଅଧିଗ୍ରହଣ ହୋଇ ପ୍ରଥମ ପର୍ଯ୍ୟାୟରେ ୪୦ କୋଟି ଟଙ୍କାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ସେଥିରେ ରନ୍‌ୱେ ୧୮ ଶହ ମିଟର ହେବ। ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ସବୁ ଠିକ୍‌ଠାକ୍‌ ହେଲେ ଏପ୍ରିଲରୁ ବିମାନ ଉଡ଼ିବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର