ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ରେ ଆଣ୍ଠେଇଛି ପ୍ରଧାନମନ୍ତ୍ରୀ ଆବାସ। ୯ ମାସରେ ସମ୍ପୂର୍ଣ୍ଣ ହୋଇଛି ମାତ୍ର ୩୨.୫ ପ୍ରତିଶତ ଘର। ବର୍ଷାଦିନେ ଚାଷ ସମୟରେ କାର୍ଯ୍ୟାଦେଶ ମିଳିବା ଓ ନିର୍ମାଣ ସାମଗ୍ରୀ ନ ମିଳିବାରୁ ଘର କାମ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ହେଉଥିବା ହିତାଧିକାରୀମାନେ କହିଛନ୍ତି। ସେହିପରି କିଛି ହିତାଧିକାରୀ ଘର କାମ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ସେମାନଙ୍କୁ ଶେଷ କିସ୍ତି ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।

Advertisment

୨୦୨୩ ଜୁନ୍‌ରେ ତେଲକୋଇ ବ୍ଲକ୍‌ର ୨୨ଟି ପଞ୍ଚାୟତର ୫୬୨୪ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଆଜି ସୁଦ୍ଧା ମାତ୍ର ୧୮୨୪ଟି ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଆକୁଳ ପଞ୍ଚାୟତରେ ୨୩୩ଜଣ ହିତାଧିକାରୀଙ୍କ ମଧ୍ୟରୁ ୭୫ଜଣ ଘର କାମ ଶେଷ କରିଛନ୍ତି। ସେହିପରି ବଳଭଦ୍ରପୁର ପଞ୍ଚାୟତରେ ୧୫୮ରୁ ୪୭, ଭୀମକାଣ୍ଡରେ ୨୭୪ରୁ ୧୦୩, ବିମଳା ୩୫୯ରୁ ୯୯, ବିଞ୍ଝବାହାଳରେ ୧୯୬ରୁ ୩୬, ଛାମୁଣ୍ଡାରେ ୩୯୪ରୁ ୧୮୨, ଦେଉଳଡିହାରେ ୨୬୯ରୁ ୧୧୧, ଦୋବଲାପାଳରେ ୧୮୯ରୁ ୮୭, ଜଗମୋହନପୁରରେ ୧୮୪ରୁ ୪୦, କାଳିଆହତାରେ ୩୦୮ରୁ ୧୧୨, କରଦାଙ୍ଗିରେ ୨୭୩ରୁ ୮୧, କରମଙ୍ଗିରେ ୨୯୫ରୁ ୬୨, ଖୁଣ୍ଟାପଡ଼ାରେ ୩୧୧ରୁ ୧୧୬, ଓରିଆ-ବିରିଦାରେ ୨୪୦ରୁ ୫୫, ପଡ଼ାଙ୍ଗ ୧୧୭ରୁ ୫୦, ପୁରୁଯୋଡ଼ାରେ ୩୪୪ରୁ ୧୩୫, ରାଇସୁଆଁ ୨୦୫ରୁ ୭୭, ସଲେଇକେନା ୨୪୦ରୁ ୭୮, ଶିବନାରାୟଣପୁରଗୋଡ଼ାରେ ୨୮୨ରୁ ୭୦, ଶିରିଗିଡ଼ାରେ ୩୧୩ରୁ ୧୧୫, ତାଳପଦାରେ ୧୫୩ରୁ ୩୩ ଓ ତେଲକୋଇ ପଞ୍ଚାୟତର ୨୯୩ଜଣ ହିତାଧିକାରୀଙ୍କ ମଧ୍ୟରେ ୬୦ଜଣ ଘର କାମ ସମ୍ପୂର୍ଣ୍ଣ କରିଛନ୍ତି। ବିଞ୍ଝବାହାଳ ପଞ୍ଚାୟତରେ ସର୍ବନିମ୍ନ ୧୮.୫ ପ୍ରତିଶତ ଓ ଛାମୁଣ୍ଡାରେ ସର୍ବାଧିକ ଶତକଡ଼ା ୪୬.୨ ପ୍ରତିଶତ ଆବାସ ନିର୍ମାଣ ହୋଇଛି।

ଜୁନ୍ ମାସରେ ବର୍ଷାଦିନେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଏହି ସମୟରେ ଗ୍ରାମାଞ୍ଚଳର ଲୋକେ ଚାଷ କାମରେ ବ୍ୟସ୍ତ ଥିଲେ। ତେଣୁ ସେମାନେ ଘର କାମକୁ ଗୁରୁତ୍ବ ଦେଇନଥିଲେ। ସେହିପରି ଗୃହ ନିର୍ମାଣ ପାଇଁ ଆବଶ୍ୟକ ନିର୍ମାଣ ସାମଗ୍ରୀ ମିଳି ନଥିଲା। ଚଢ଼ାଦରରେ ନିର୍ମାଣ ସାମଗ୍ରୀ କିଣିବାକୁ ହିତାଧିକାରୀମାନେ ସମର୍ଥ ହୋଇନଥିଲେ। ସେହିପରି ଏକାସାଙ୍ଗରେ ଏତେ ସଂଖ୍ୟାରେ ଗୃହ ନିର୍ମାଣ ପାଇଁ ଶ୍ରମିକ ଓ ରାଜମିସ୍ତ୍ରି ମିଳି ନଥିଲେ। ଯେଉଁଥିପାଇଁ ଧାର୍ଯ୍ୟ ସମୟରେ ଗୃହ ନିର୍ମାଣ ଶେଷ କରିବା ସମ୍ଭବ ହୋଇନଥିବା ଜଣାଡ଼ିଛି। ଅନେକ ହିତାଧିକାରୀ ଘର କାମ ଶେଷ କରିଥିଲେ ମଧ୍ୟ ସେମାନଙ୍କୁ ଶେଷ କିସ୍ତି ଟଙ୍କା ମିଳିନି। ରାଇସୁଆଁ ପଞ୍ଚାୟତ ସମାକୁଦ ଗ୍ରାମର ବିରଞ୍ଚି ସାହୁ, ସର୍ବେଶ୍ଵର ସାହୁ, ରଞ୍ଜନ ବେହେରା, ଶ୍ରୀମତୀ ସାହୁ ଓ ମନ୍ଦାକ୍ରାନ୍ତ ବିଶ୍ବାଳ ପ୍ରମୁଖ ଶେଷ କିସ୍ତି ଟଙ୍କା, ବୋନସ ଓ ମନେରଗା ଅର୍ଥ ପାଇନଥିବା କହିଛନ୍ତି। ଏନେଇ ତେଲକୋଇ ବିଡିଓ ଗୀତା ମୁର୍ମୁଙ୍କୁ ପଚାରିବାରୁ, ପ୍ରାପ୍ୟ ପାଇବାକୁ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପଠାଯାଇଛି। ଅର୍ଥ ମଞ୍ଜୁର ହେଲେ ସମସ୍ତେ ପ୍ରାପ୍ୟ ପାଇବେ ବୋଲି ସେ କହିଛନ୍ତି।