ଖୋର୍ଦ୍ଧା: ଖୋର୍ଦ୍ଧାର ଜଣାଶୁଣା ଲେଖକ ହିମାଂଶୁ ଶେଖର ଫତେସିଂହଙ୍କୁ ୨୦୨୦ ମସିହା ନିମନ୍ତେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ସମ୍ମାନରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ପୌର ପରିଷଦର ଗୁରୁଜଙ୍ଗ ହାଉସିଂ ବୋର୍ଡ କଲୋନୀ ବାସିନ୍ଦା ଶ୍ରୀଫତେସିଂହ ବର୍ତ୍ତମାନ ପଲ୍ଲା ଠାରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି। ସେ ୪୦ ଖଣ୍ଡ ଉପାଦେୟ ବିଜ୍ଞାନ ପୁସ୍ତକ ରଚନା କରିଛନ୍ତି। ସେ ଏହାପୂର୍ବରୁ ସଂସାର ଲେଖକ ସମ୍ମାନ, ପ୍ରକୃତିବନ୍ଧୁ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପାଇଛନ୍ତି।
ହିମାଂଶୁ ଶେଖର ସୁଇଜରଲ୍ୟାଣ୍ଡ, ଇଣ୍ଡୋନେସିଆ ଆଦିରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଗତ ୧୪ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ଓଡ଼ିଶା ବିଜ୍ଞାନ ଏକାଡେମୀର ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସମ୍ମାନ ପ୍ରଦାନ କରିଥିଲେ। ମହାକାଶ ବିଜ୍ଞାନ କ୍ଷେତ୍ରରେ ଘଟିଥିବା ୨୨ଟି ଗୁରୁତ୍ବପୂର୍ଣ୍ଣ ଘଟଣା ଉପରେ ରଚିତ ‘ମହାକାଶରେ ପୃଥିବୀରେ ପ୍ରଥମ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ଫତେସିଂହଙ୍କ ଏହି ସମ୍ମାନ ପାଇଁ ଜିଲ୍ଲା ଶିକ୍ଷାବିଭାଗ, ଖୋର୍ଦ୍ଧା ଜିଲ୍ଲା ଓ ବ୍ଲକର ବିଭିନ୍ନ ଶିକ୍ଷକ ସଂଘ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।