ମାଲକାନଗିରି: ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ମାଲକାନଗିରି ‘ସମ୍ବାଦ’ ସାହିତ୍ୟଘରକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୋମବାର ଭୁବେନେଶ୍ବର ଲୋକସେବା ଭବନସ୍ଥିତ ରାଜ୍ୟ କନ୍ଭେନସନ୍ ସେଣ୍ଟର ଠାରେ ଆୟୋଜିତ ବିଶ୍ବ ପରିବେଶ ଦିବସ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ନିଜର ବାର୍ତ୍ତା ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତରାଜ ଓ ପାନୀୟଜଳ, ସୂଚନା ଓ ଲୋକସସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘର ଶାଖାକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମାଲକାନିଗିରି ‘ସମ୍ବାଦ’ ସାହିତ୍ୟ ଘର ଉପଦେଷ୍ଟା ଡଃ. ରଞ୍ଜନ କୁମାର ସ୍ବାଇଁ ଏହି ମାନପତ୍ର ଓ ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ପ୍ରତିବର୍ଷ ସାରା ରାଜ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଥିବା ବେଳେ ମାଲକାନଗିରି ‘ସମ୍ବାଦ’ ସାହିତ୍ୟ ଘର ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ କରି ଆସିଥିବାରୁ ଅତିଥିମାନେ ପ୍ରଂଶସା କରିଥିଲେ।
/sambad/media/post_attachments/wp-content/uploads/2023/06/MKG-Sahityaghar-2.jpeg)
ମାଲକାନଗିରି ଜିଲ୍ଲାରେ ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଗତବର୍ଷ ୧୫୦୦ରୁ ଅଧିକ ବୃକ୍ଷରୋପଣ ହୋଇଥିବା ବେଳେ ମାଲକାନଗିରି ସହର ଓ ଉପକଣ୍ଠରେ ୪ ଶହରୁ ଅଧିକ ଚାରା ରୋପଣ କରାଯାଇଛି। ମାଲକାନଗିରିର ବିଭିନ୍ନ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବନବିଭାଗର ମିଳିତ ଉଦ୍ୟମରେ ବୃକ୍ଷରୋପଣ କରିବା ସହ ସଂରକ୍ଷଣ ପାଇଁ କାର୍ଯ୍ୟ କରିଥିଲେ। ଉପଦେଷ୍ଟା ଶ୍ରୀ ସ୍ବାଇଁଙ୍କୁ ‘ସମ୍ବାଦ’ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡଃ. ଶୁଭଶ୍ରୀ ଲେଙ୍କା ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା ଦିନରେ ମାଲକାନଗିରି ‘ସମ୍ବାଦ’ ସାହିତ୍ୟଘର ପକ୍ଷରୁ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସେ କହିଛନ୍ତି। ଶ୍ରୀ ସ୍ବାଇଁଙ୍କୁ ମାଲକାନଗିରି ‘ସମ୍ବାଦ’ ସାହିତ୍ୟଘର ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥଙ୍କ ସମେତ କର୍ମକତ୍ତା ଓ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।