ମହିଳାଙ୍କ ସମାନ ଅଧିକାର ପାଇଁ ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖୋର୍ଦ୍ଧା ଉପକଣ୍ଠ ଜଟଣୀ ବ୍ଲକ ଅନ୍ତର୍ଗତ ଅଙ୍ଗାରପଡ଼ା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରର ସହଯୋଗ ଓ ନୂଆ ଦିଲ୍ଲୀର ବିଶ୍ୱଯୁବକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଙ୍ଗାରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ସ୍ୱାସ୍ଥ୍ୟ କର୍ମୀ, ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ବିଦ୍ୟାଳୟ ପରିସରରେ ସମାନତା ହିଁ ନିରନ୍ତର ବିକାଶ ପଥକୁ ସୁଗମ କରିବା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ ସରପଞ୍ଚ ମମତା ସାହୁ ଅଧ୍ୟକ୍ଷତା କରିଥିଲେ, ଆଶାକର୍ମୀ ସୁକାନ୍ତୀ ବେହେରା ସ୍ୱାଗତ ଭାଷଣ, ସହଯୋଗର ସମ୍ପାଦିକ ବିଜୟଲକ୍ଷ୍ମୀ ରାଉତରାୟ, ପ୍ରଫୁଲ୍ଲବାଳା ନାୟକ, ରଜନୀ ସ୍ୱାଇଁ, ଅହଲ୍ୟା ପ୍ରିୟଦର୍ଶିନୀ, ସ୍ୱାସ୍ଥ୍ୟକର୍ମୀ ସଂଘମିତ୍ର ପଣ୍ଡା ପ୍ରମୁଖ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଆଲୋଚନା କରିଥିଲେ। ରଶ୍ମିତା ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ଆଲୋଚନାଚକ୍ର ପୂର୍ବରୁ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମହିଳାଙ୍କ ସମାନତା ଅଧିକାର ନେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।

ସମ୍ବନ୍ଧିତ ଖବର