ବୈପାରିଗୁଡା: ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ରହିଥିବା ସେବାଶ୍ରମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପୋଷଣଯୁକ୍ତ ଖାଦ୍ୟର ଉପକାରିତା ଏବଂ ଡେଙ୍ଗୁର ଭୟାବହତା ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବୈପାରିଗୁଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ମଞ୍ଜୁଳା କାଣ୍ଡକି, ସ୍ବାସ୍ଥ୍ୟ ବିଭାଗ, ମେଲେରିଆ ନ ମୋର୍ ଏନଜିଓର ସୁପରଭାଇଜର ଠାକୁର ପ୍ରସାଦ ପାଇକ ଏବଂ ସେବାଶ୍ରମର ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସରରେ ଅମୃତଭଣ୍ଡା, ସଜନା, ଶାଗ, କଲରା, ପିଜୁଳି ଭଳି ବିଭିନ୍ନ ପୋଷଣ ଯୁକ୍ତ ପରିବା ପାଉଥିବା ଗଛ ଲଗାଯାଇଥିଲା।
ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କିପରି ସ୍ୱାସ୍ଥ୍ୟର ବିକାଶ ଘଟିଥାଏ ଏବଂ ସୁସ୍ଥ ରହିବାର ଉପାଦାନ ମିଳିଥାଏ, ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୁପ୍ତା ଡେଙ୍ଗୁର ଭୟାବହତା ସମ୍ପର୍କରେ ସୂଚନା ଦେବା ସହ ଏଥିପାଇଁ ସତର୍କ ରହିବା ସହ ଗରମ ପାଣିର ବ୍ୟବହାର ଏବଂ ମଶାରୀ ଟାଣି ଶୋଇବା ପାଇଁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ଅପରିଷ୍କାର ପାଣି ଜମା ନକରିବା ଏବଂ ନାଳ ନର୍ଦ୍ଦମା ସଫା ରଖିବା ପାଇଁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଅକ୍ଷୟ ପଣ୍ଡା ସଂଯୋଜନା କରିଥିବା ବେଳେ ମାକସ୍ ଗିଲ୍ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-04-at-7.09.25-PM.jpeg)