ରାୟଗଡା: ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆଜି ଶନିବାର ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଯୁକ୍ତଦୁଇର ଦ୍ଵିତୀୟ ବର୍ଷର ନୂତନ ଓ ପ୍ରତ୍ୟାସିତ ଭୋଟର ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭୀମସେନ ଶବର, କଲେଜ ଅଧ୍ୟକ୍ଷା ଡଃ. ବବିଲତା ସରଫ, ବରିଷ୍ଠ ପ୍ରାଧ୍ୟାପକ ଅରୁଣ କୁମାର ଖାଡଙ୍ଗା, ଏନଏସଏସ ୱିଙ୍ଗର ପ୍ରୋଗ୍ରାମ ଅଧିକାରୀ କେଶବ କୁମାରୀ ଯାନି, ଲେଫ୍ଟନାଣ୍ଟ ଉଦୟ ନାୟକ, ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର, ରାୟଗଡ଼ା ପୌର ପରିଷଦରୁ ଚନ୍ଦ୍ରଶେଖର ରଥ ଓ ଆର ନୀଳକଣ୍ଠ ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀ ଶବର ପ୍ରାସଙ୍ଗିକ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା, ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୦ର ପ୍ରଣୀତ ନିୟମାବଳୀ ସମ୍ପର୍କିତ ବିଭିନ୍ନ ଧାରା ଓ ଉପଧାରା ଗୁଡ଼ିକ ଉପରେ ଆଲୋଚନା କରିଥିଲେ।

Advertisment

ଶିକ୍ଷକ ନିଳାଞ୍ଚଳ ମିଶ୍ର ଭୋଟର ପଞ୍ଜୀକରଣର ସାଧାରଣ ନିୟମ, ଯୋଗ୍ୟତା, ସଂଶୋଧନ ପ୍ରକ୍ରିୟା, ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଫର୍ମ ଦାଖଲ ପ୍ରଣାଳୀ ଓ ଇଭିଏମର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ। ଶେଷରେ କେଶବ ଜାନି ଧନ୍ୟବାଦ ଅର୍ପଣ କରିଥିଲେ। ବନୋ ମହୋତ୍ସବ ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ଶବର, କଲେଜ ଅଧ୍ୟକ୍ଷା ଓ ଅନ୍ୟ କର୍ମକର୍ତ୍ତା ମିଶି କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ।