ସୁନ୍ଦରଗଡ଼: ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ସମ୍ପର୍କରେ ବୁଧବାର ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର ଜିଲ୍ଲାରେ ଫାଇଲେରିଆ ରୋଗ ତଥା ଜିଲ୍ଲାର ରୋଗୀଙ୍କ ସ୍ଥିତି ତଥା ଏହି ରୋଗ କିଭଳି ଭାବେ ହୋଇଥାଏ, ରୋଗ ର ଲକ୍ଷଣ, ଏହି ରୋଗର ଭୟାବହତା ତଥା ରୋଗର ନିରାକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଏହି କ୍ରମରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଳାରେ ଚଳିତ ଅଗଷ୍ଟ ମାସ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରାଯାଇଅଛି। ଯେଭଳି କି, ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଘରକୁ ଘର ଯାଇ ଔଷଧ ସେବନ କରେଇବା ଏବଂ ଏଥି ନିମନ୍ତେ ଜିଲ୍ଳାରେ ୩୦୩୮ ଗୋଟି ଟିମ୍ ଗଠନ କରାଯାଇଅଛି ଏବଂ ସେମାନଙ୍କୁ ସାମୁହିକ ଔଷଧ ସେବନ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଛି, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଔଷଧ ସେବନ ବ୍ୟବସ୍ଥା ରହିଛି ଏବଂ ଏଥି ନିମନ୍ତେ ୯୩ ଗୋଟି ବୁଥ ମଧ୍ୟ କାର୍ଯ୍ୟକାରୀ ହେବ, ସେହିପରି ୩୯୭ ଗୋଟି ମୋବାଇଲ ଟିମ ମଧ୍ୟ ଗଠନ କରାଯାଇଅଛି ଯାହା କି ସ୍କୁଲ, କଲେଜ, ବିଭିନ୍ନ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ, କାରାଗାର, ହାଉସିଂ ସୋସାଇଟି ମାନଙ୍କରେ ଔଷଧ ସେବନ କରେଇବେ।
ଏହି କାର୍ଯ୍ୟକ୍ରମ ଅନୁଯାୟୀ ଆଶାକର୍ମୀ, ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ ମାନେ ଘର କୁ ଘର , ସ୍କୁଲ କଲେଜ ତଥା ଅନ୍ୟ ଅନୁଷ୍ଠାନ କୁ ଯାଇ ସମସ୍ତ ସଦସ୍ୟଙ୍କୁ ତାଙ୍କ ବୟସ ଅନୁଯାୟୀ ଫାଇଲେରିଆ ବାଟିକା ଖୁଆଇବେ। କେବଳ ଗର୍ଭବତୀ ମହିଳା, ୨ ବର୍ଷ ରୁ କମ ବୟସ୍କ ଶିଶୁ, ଗୁରୁତର ରୋଗୀ ତଥା ମା'ଙ୍କୁ ଶିଶୁ ଜନ୍ମ ର ଏକ ସପ୍ତାହ ମଧ୍ୟରେ ଏହି ଔଷଧ ଦିଆଯିବ ନାହିଁ।
ବୈଠକରେ ଫାଇଲେରିଆ ନିରାକରଣ ନିମନ୍ତେ ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ରେ ଜିଲ୍ଲାବାସୀ ଙ୍କ ସହଯୋଗ କାମନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ , (ଭି . ବି. ଡି.) ଡ଼ା. ଭକ୍ତ ମୋହନ ସ୍ୱାଇଁ, ରାଜ୍ୟ ପ୍ରକଳ୍ପ ପରିଚାଳକ, ଡ଼ା. ଅଜିତ ବସନ୍ତରାୟ, ଡବ୍ଲୁ. ଏଚଓର ଜୋନାଲ ସଂଯୋଜକ ଡ଼ା. ଶ୍ୟାମ ବନ୍ଧୁ ରଥ, ଶ୍ରୀମତୀ ବିଜୟ ଲକ୍ଷ୍ମୀ ପୃଷ୍ଟି, ଭି. ବି. ଡି. ପରାମର୍ଶଦାତା ଡ଼ା. ମନୋଜ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ତଥା ସ୍ବାସ୍ଥ୍ୟ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।