ଠିକାଦାରଙ୍କ ଚଞ୍ଚକତା: ଘର ସମ୍ପୂର୍ଣ୍ଣ ନକରି ହିତାଧିକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗତଦିନରେ ଅଭିଯୋଗ ହୋଇଥିବା ବେଳେ ଏସଇସି ତାଲିକାରେ କିଛି ହେରଫେର ହୋଇଛି।  ଏହି ବ୍ଲକ ଅଧିନସ୍ଥ ବେହେରାମୁଣ୍ଡା ପଞ୍ଚୟତର ସାଲେବିଡି ଓ ବାବୁରିଆ ଗ୍ରାମରେ ଏକାଧିକ ହିତାଧିକାରୀଙ୍କୁ ଠକେଇ କରି ଘର ଅସମ୍ପୂର୍ଣ୍ଣ ପୂର୍ବକ ସମ୍ପୂର୍ଣ୍ଣ ବିଲ୍‌ ଟଙ୍କା କାର୍ଯ୍ୟରେ ନିୟୋଜିତ ହୋଇଥିବା ଠିକାଦାର ହଡ଼ପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ଦୁର୍ନୀତିର ସବୁ ସୀମା ପାର କରିଛି।

ବିବରଣୀରୁ ପ୍ରକାଶ ଯେ, ବେହେରାମୁଣ୍ଡା ପଞ୍ଚୟତ ସାଲେବିଡି ଗ୍ରାମର ଭୁବନେ ଟିକରିଆଙ୍କୁ ୨୦୧୮-୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଗୃହ ମଞ୍ଜୁର ହୋଇଥିଲା। ତେବେ ଉକ୍ତ ଗୃହ କାର୍ଯ୍ୟକୁ ନିଜେ ନିର୍ମାଣ କରିବାକୁ ସେହି ଗ୍ରାମର ଖଗେଶ୍ୱର ସୋରୀ ନାମକ ଜଣେ ବ୍ୟକ୍ତି ହିତାଧିକାରୀଙ୍କ ଉପରେ ଚାପ ପକାଇଥିଲେ। ଏଥି ସହିତ ସେ ନିର୍ମାଣ କାର୍ଯ୍ୟ ହାତେଇ ନେଇଥିଲେ। ତେବେ ଆଜକୁ ତିନି ବର୍ଷ ହେବ ଉକ୍ତ ଗୃହ ସମ୍ପୂର୍ଣ୍ଣ କରିନଥବା ବେଳେ ବିଭିନ୍ନ ସମୟରେ ଗୃହ ବାବଦ ଅର୍ଥ ଉଠାଇ ନେଇଥିବା ବେଳେ ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡିଦେଇଥିଲେ।

ଅନ୍ୟପଟେ ଭୁବନେ ଟିକରିଆଙ୍କ ପାଖରେ କୌଣସି ବାସ ଉପଯୋଗୀ ଗୃହ ନଥିବାରୁ ଭଙ୍ଗା ଦଦରା ଝାଟି ମାଟି ଘରେ ନିଜର ଚାରି ପରିବାରକୁ ଧରି ରହି ଆସୁଥିଲେ। ତେବେ କୌଣସି ଉପାୟ ନପାଇ ସପରିବାର ନିଜେ ଇଟା ତିଆରି କରି ଧାର କରଜ କରି ଅର୍ଧ ନିର୍ମିତ ଘରକୁ ଆଜବେଷ୍ଟ ପକାଇ ରହୁଛନ୍ତି। ବାରମ୍ବାର ଠିକାଦାରଙ୍କୁ ଘର ସମ୍ପୂର୍ଣ୍ଣ କରିବାକୁ ହିତାଧିକାରୀ ଅନୁରୋଧ କରିଥିଲେ ହେ ଆଜି କାଲି କହି ଦିନ ଗଡାଇ ଚାଲିବା ସହ ଗୃହ ବାବଦ ବିଲ୍‌ ହୋଇନଥିବା କହି ଠକି ଚାଲିଥିଲେ। ଶେଷରେ ହିତାଧିକାରୀ ଜଣକ ନିରୁପାୟ ହୋଇ ଚନ୍ଦାହାଣ୍ଡି ଥାନାରେ ଗତକାଲି ଏତଲା ଦେବାସହ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏନେଇ ଆଜି ବିପିସି ସରଜମିନ ତଦନ୍ତ କରିବା ସହ ଏବାବଦ ବିଲ୍‌ ଅର୍ଥ ୩୦/୬/୨୦୧୮ ରେ ୨୦ ହଜାର,୧୬/୭/୨୦୧୮ ରେ ୩୫ ହଜାର,୨/୮/୨୦୧୮ ରେ ୪୫ ହଜାର ଓ ୧୧/୫/୨୦୨୦ ରେ ୩୦ ହଜାର ମୋଟ ୧,୩୦,୦୦୦ ଟଙ୍କା ଉଠା ଯାଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଡିଓ ମଧ୍ୟ ଅଭିଯୋଗକୁ ସ୍ୱୀକାର କରିବା ସହ ତଦନ୍ତ ଚାଲୁରହିଛି ବୋଲି କହିଛନ୍ତି । ସେହିଭଳି ବେହେରାମୁଣ୍ଡା ପଞ୍ଚାୟତ ବାବିରିଆ ଗ୍ରାମର ଚୈତନ ସୋରୀଙ୍କ ଘର କାର୍ଯ୍ୟ ସମ୍ପୂର୍ଣ ନକରି ସେହି ଗ୍ରାମର ଠିକାଦାର ଶ୍ୟାମସୁନ୍ଦର ସୁନାନୀ ଟଙ୍କା ଉଠେଇ ନେଇଥିବା ଚୈତନ ସୋରୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର