ପୁନାଦରେ ସୀମିତ ଆବାସ ନିର୍ମାଣ‌, ଅଧପାନ୍ତରିଆ ରହିଛି ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ‌ଯୋଜନା

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): କେଉଁଠି ପୁନାଦ ପର୍ଯ୍ୟନ୍ତ ହୋଇଛି ତ ଆଉ କେଉଁଠି ଛାତ ପଡିଛି। କାନ୍ଥ ପ୍ଲାଷ୍ଟର ହୋଇପାରୁ ନାହିଁ କି ଝରକା କବାଟ ମଧ୍ୟ ଲାଗିନାହିଁ। କିଏ ଅଧପାନ୍ତରିଆ ଭାବେ ଘର ତିଆରି କରିଛି ତ ଆଉ କିଏ ବହୁ କଷ୍ଟରେ ଘର ସମ୍ପୂର୍ଣ୍ଣ କରିଛି। ଏଭଳି ସ୍ଥିତିରେ ବର୍ଷ ପରେ ବର୍ଷ ବିତିଚାଲିଛି କିନ୍ତୁ ଆବାସ ଯୋଜନାର ଟଙ୍କା ପାଇପାରି ନାହାନ୍ତି। କୋରାପୁଟ ଜିଲ୍ଲା ଜୟପୁର ପୌରପାଳିକା ଅନ୍ତର୍ଗତ ପୁରୁଣାଗଡ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୨୦୧୦ ମସିହାରେ ସରକାରଙ୍କ ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ଲୋକଙ୍କୁ ଆବାସ ତିଆରି କରିବା ପାଇଁ କାର୍ଯ୍ୟାଦେଶ ମିଳିଥିବା ବେଳ‌େ ସମସ୍ତ କିସ୍ତିର ଟଙ୍କା ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ଯାହା ଫଳରେ କିଛି ଲୋକ ଘର ତିଆର କରିଛନ୍ତି ତ ଆଉ କିଛି ଲୋକ ଘର ନିର୍ମାଣ ଅଧପାନ୍ତରିଆ ଭାବେ ପଡି ରହିଛି।

 

୨୦୦୯-୧୦ ଆର୍ଥିକ ବର୍ଷରେ ପୌରପାଳିକା ବସ୍ତି ଅଞ୍ଚଳରେ ଲୋକେ ରହିବା ପାଇଁ ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ଯୋଜନାରେ ଘର ତିଆରି ପାଇଁ ଲୋକଙ୍କୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ସେହି ସମୟରେ ୨୦୧୦ ମସିହାରେ ଜୟପୁର ସହରରେ ମଧ୍ୟ ୩୦୦ରୁ ଅଧିକା ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେଥିରୁ ପୁରୁଣାଗଡ ଅଞ୍ଚଳରେ ଥିବା ବସ୍ତିବାସୀନ୍ଦାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। କାର୍ଯ୍ୟାଦେଶ ପାଇବା ପରେ ବସ୍ତିବାସୀନ୍ଦା ଘର ତିଆରି ଆରମ୍ଭ କରିଥିଲେ। ସେହି ବସ୍ତି ଅଞ୍ଚଳର ରମା ଜାନି ଘର ପୁନାଦି ପକାଇଥିଲେ ଏହାପରେ ତାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୧୫ ହଜାର ୩୩୪ ଟଙ୍କା ଆସିଥିଲା ଏହାପରେ କାନ୍ଥ ପର୍ଯ୍ୟନ୍ତ ନିର୍ମାଣ ପରେ ୩୧,୨୭୫ ଟଙ୍କା ଆସିଥିଲା। କିନ୍ତୁ ଏହାପରେ ତାଙ୍କର ଆକାଉଣ୍ଟକୁ ଆଉ ଟଙ୍କା ଆସିପାରି ନାହିଁ ଘର ନିର୍ମାଣ କରିପାରି ନାହାନ୍ତି। ଏ‌ବେ ବହୁ କଷ୍ଟରେ ଧାର କରଜ କରି ଛାତ ପକାଇଛନ୍ତି କିନ୍ତୁ ପ୍ଲାଷ୍ଟର କରିପାରି ନାହାନ୍ତି। ସେହିଭଳି ଗୁରୁଜାନିଙ୍କ ଅବସ୍ଥା ମଧ୍ୟ ସେହିଭଳି ରହିଛି। ତାଙ୍କୁ ମଧ୍ୟ ୨ଟି କିସ୍ତିରେ ଟଙ୍କା ଆସିଥିବା ବେଳେ ଅନ୍ୟ ଦୁଇଟି କିସ୍ତିରେ ଟଙ୍କା ଆସିପାରି ନାହିଁ। ଗୁରୁଜାନୀଙ୍କ କହିବାନୁଯାୟୀ, ଅନ୍ୟ ଦୁଇଟି କିସ୍ତିର ଟଙ୍କା ମିଳିପାରି ନଥିଲା ଫଳରେ ରୋଜଗାର କିଛି ଟଙ୍କାରେ କଷ୍ଟେମଷ୍ଟେ ଘରକୁ ତିଆରି କରିଛି। ସେହି ଘରର ଫଟୋ ଉଠାଇ ମଧ୍ୟ ପୌର କାର୍ଯ୍ୟାଳୟରେ ଦେଇଥିଲି କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ମିଳିପାରି ନଥିବା କହିଛନ୍ତି। ସେହି ବସ୍ତିର ତ୍ରିପତୀ ଜାନିଙ୍କ କହିବାନୁଯାୟୀ, ସେ ମଧ୍ୟ କାର୍ଯ୍ୟାଦେଶ ପାଇବା ପରେ ଘର ପୁନାଦି ପକାଇଥିଲେ। ଏହାପରେ ଗତ ୨୦୧୨ ମସିହାରେ ବ୍ୟାଙ୍କ ଆକାଉଣ୍ଟକୁ ୧୫ ହଜାର ୩୩୪ ଟଙ୍କା ଆସିଛି। କିନ୍ତୁ ଗୋଟିଏ କିସ୍ତିର ଟଙ୍କା ପାଇଛନ୍ତି ଆଉ କୌଣସି କିସ୍ତିର ଟଙ୍କା ପାଇପାରି ନାହାନ୍ତି, ଫଳରେ ଘର ନିର୍ମାଣ ଅଧୁରା ହୋଇରହିଛି। ପୁନାଦିରେ ହିଁ ଘର ତିଆରି ସୀମିତ ରହିଛି। ‌ଏଭଳି ଭାବ‌େ ପୁରୁଣାଗଡ ଅଞ୍ଚଳରେ ବହୁ ହିତାଧିକାରୀ ଆବାସ ଯୋଜାନର ଟଙ୍କା ପାଇପାରିନଥିବା ଅଭିଯୋଗ କରିଛନ୍ତି। ୨୦୧୦ ମସିହାରୁ ଆବାସ ଯୋଜନା ଆରମ୍ଭ ହୋଇ ତାହା ଶେଷ ହୋଇସାରିଥିବା ବେଳ‌େ ଆଜି ପର୍ଯ୍ୟନ୍ତ ‌ହିତାଧିକାରୀଙ୍କୁ ଟଙ୍କା ମିଳପାରୁ ନାହିଁ।

 

ଏନେଇ ପୌରପାଳିକା କନିଷ୍ଠ ଯନ୍ତ୍ରୀ ଅଜୟ ଜାନି କହିଛନ୍ତି ଯେ, ଗତ ୨୦୦୯-୧୦ ଆର୍ଥିକ ବର୍ଷରେ ଏହି ଯୋଜାନ ଆରମ୍ଭ ହୋଇଥିଲା। ସେଥିରେ ଜୟପୁର ପୌରପାଳିକାର ବିଭିନ୍ନ ବସ୍ତି ଅଞ୍ଚଳର ମୋଟ ୩୨୩ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଆବାସ ଯୋଜାନରେ ଗୋଟିଏ ଗୃହ ପିଛା ୧ ଲକ୍ଷ ୪ ହଜାର ଟଙ୍କା ରହିଥିଲା। ସେଥିରୁ ପୌରପାଳିକାର ୯୦ ପ୍ରତିଶତ ଓ ହିତାଧୀକାରୀଙ୍କ ୧୦ ପ୍ରତିଶତ। ହିତାଧିକାରୀ ୧୦ ହଜାର ୪୦୦ ଟଙ୍କା ପୂର୍ବରୁ ବାନ୍ଧିବା ପରେ ତାଙ୍କୁ କାର୍ଯ୍ୟାଦେଶ ଦିଆଯିବ ଓ ପରେ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ୧ ଲକ୍ଷ ୪ ହଜାର ଟଙ୍କା ପ୍ରଦାନ କରାଯିବ। କିନ୍ତୁ ଲୋ‌କେ ଘର ନିର୍ମାଣ ପାଇଁ ଟଙ୍କା ନଥିବାରୁ ସେମାନଙ୍କୁ ଟଙ୍କା ପୈଠ କରିବା ପୂର୍ବରୁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେହି ହିସାବରେ ଯେଉଁ ହିତାଧିକାରୀ ଘର ନିର୍ମାଣ କରିଛି ସେହି ଅନୁପାତରେ ଟଙ୍କା ଦିଆଯାଇଥିବା କହିଛନ୍ତି। ଏନେଇ ଉପଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ, ଏଭଳି ଅଭିଯୋଗ ଆସିଥିବା ବେଳେ ପୌରପାଳିକା ଯନ୍ତ୍ରୀମାନଙ୍କୁ ଏହାର ତଦନ୍ତ ପାଇଁ କହିଛନ୍ତି। ଘଟଣା ସତ୍ୟତା ଜଣାପଡିବା ପରେ ହିତାଧିକାରୀଙ୍କୁ ଉପଯୁକ୍ତ ଥିଲେ ତାଙ୍କୁ ଟଙ୍କା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର