ବାଲେଶ୍ୱରବାସୀଙ୍କ ପାଇଁ ପ୍ରହସନ ପାଲଟିଛି ସରକାରୀ ଆୟୁର୍ବେଦ ଚିକିତ୍ସା

ଦୀର୍ଘବର୍ଷ ଧରି ଖାଲି ପଡ଼ିଛି ୪୯ ଡାକ୍ତର, ଆୟୁଷ ସହାୟକ, ସେବାପ୍ରତି ବିମୁଖ ହେଉଛନ୍ତି ଲୋକେ

ବାଲେଶ୍ୱର: ଆର୍ୟୁବେଦିକ ଏକ ପୁରାତନ ତଥା ପାର୍ଶ୍ଵପ୍ରତିକ୍ରିୟା ବିହୀନ ଓ ନିରାପଦ ଚିକିତ୍ସା ପଦ୍ଧତି। ପ୍ରାଚୀନ କାଳରୁ ଏବେ ପର୍ଯ୍ୟନ୍ତ ଏହି ଚିକିତ୍ସା ପଦ୍ଧତି ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖିଆସିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଏହାର ବହୁଳପ୍ରସାର ଦିଗରେ ସରକାର କେଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି। ପ୍ରତିବର୍ଷ ଅକ୍ଟୋବର ୨୫ ତାରିଖକୁ ସରକାର ଜାତୀୟ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଇ ଏହି ଚିକିତ୍ସା ପଦ୍ଧତିର କିପରି ବିକାଶ ହୋଇପାରିବ ସେନେଇ ଲମ୍ବା ପ୍ରତିଶ୍ରୁତି ଦେଉଥିଲେ ହେଁ ତାହା କେବଳ ପ୍ରହସନ ପାଲଟିଛି। ତେବେ ଏହି ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାର ଆର୍ୟୁବେଦ ଚିକିତ୍ସା ବ୍ୟବସ୍ଥାର ସ୍ଥିତିକୁ ନେଇ ସ୍ୱତନ୍ତ୍ର ଆଲ୍ଲେଖ୍ୟ।

ଆର୍ୟୁବେଦ ଭଳି ଏକ ଅନନ୍ୟ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ୧୯୭୯ ମସିହାରେ ବାଲେଶ୍ୱର ଜିଲ୍ଲାରେ ଆର୍ୟୁବେଦିକ ଜିଲ୍ଲା କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହା ଅଧୀନରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୪୪ଟି ଆର୍ୟୁବେଦିକ ଚିକିତ୍ସାଳୟ(ଡିସ୍ପେନ୍‌ସନାରି) ଏବଂ ୪ଟି ୟୁନାନି ଚିକିତ୍ସାଳୟ ରହିଛି କିନ୍ତୁ ସେଗୁଡ଼ିକ ଏବେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଭିତରେ ଚାଲୁଥିବା ଜଣାପଡ଼ିଛି।

ତଥ୍ୟ ଅନୁସାରେ ବର୍ତ୍ତମାନ ବାଲେଶ୍ୱରର ୧୯ ଓ ଭଦ୍ରକର ୧୧ଟି ଚିକିତ୍ସାଳୟର ସ୍ଥାୟୀଗୃହ ରହିଥିବାବେଳେ ବାକି ୧୪ଟି ଚିକିତ୍ସାଳୟ ଏହି ଅସୁବିଧା କାରଣରୁ ନାହିଁନାହିଁରେ ଚାଲିଛି। ଗତ କିଛିବର୍ଷ ହେଲା ଆର୍ୟୁବେଦ ଚିକିତ୍ସାଳୟଗୁଡ଼ିକୁ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯାଉନାହିଁ। ଫଳରେ ସେବା ପାଇବାକୁ ଆସି ଲୋକ ନିରାଶ ହେବା ସହ ଧୀରେଧୀରେ ଆର୍ୟୁବେଦ ଚିକିତ୍ସା ପ୍ରତି ବିମୁଖ ହେଲେଣି। ‘ଆର୍ୟୁ ମିସନ’ ତରଫରୁ ଔଷଧ କିଣିବା ପାଇଁ ପାଣ୍ଠିର ବ୍ୟବସ୍ଥା ହୋଇଥିଲେ ବି ସରକାର ଔଷଧ କିଣିବା ନେଇ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ସେହିପରି ୪୪ଟି ଆର୍ୟୁବେଦିକ ଚିକିତ୍ସାଳୟରେ ଦୀର୍ଘବର୍ଷ ହେଲା ଡାକ୍ତର ଓ ଆୟୁଷ ସହାୟକ ପଦବୀ ଫାଙ୍କା ପଡ଼ିଥିବାରୁ ଲୋକଙ୍କୁ ଏହି ଚିକିତ୍ସାସେବା ଯୋଗାଇଦିଆଯାଇ ପାରୁନାହିଁ। ଏବେ ଦୁଇ ଜିଲ୍ଲାରେ ୩୦ ଜଣ ଡାକ୍ତର ରହିଥିବା ବେଳେ ଆହୁରି ୧୪ ଜଣ ଡାକ୍ତର ଓ ୩୫ ଜଣ ଆୟୁଷ ସହାୟକ ପଦବୀ ପୂରଣ କରାଯାଇନାହିଁ। ସମାନ ଭାବେ ୪ଟି ୟୁନାନୀ ଚିକିିତ୍ସାଳୟରୁ ବାଲେଶ୍ୱରରେ ଜଣେ ଓ ଭଦ୍ରକରେ ଜଣେ ଲେଖାଏଁ ୟୁନାନୀ ଡାକ୍ତର ରହିଥିବା ଜଣାପଡ଼ିଛି।

ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଲେଶ୍ୱର ଜିଲ୍ଲାରେ ରୋଗୀମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍‌ ଆୟୁଷ(ଆର୍ୟୁବେଦିକ, ୟୁନାନୀ, ସିଦ୍ଧ ଓ ହୋମିଓପ୍ୟାଥିକ) ହସ୍ପିଟାଲ ଖୋଲିବା ପାଇଁ ଅନୁମୋଦନ ହୋଇଛି। ଏଥିପାଇଁ ରେମୁଣା ବ୍ଲକର ଅଚ୍ୟୁତପୁର ଠାରେ ୫ ଏକର ବିଶିଷ୍ଟ ଏକ ଜମି ଚିହ୍ନଟ ସରିଥିବା ବେଳେ ଏଥିପାଇଁ ୧ କୋଟି ଟଙ୍କା ମଂଜୁର ହୋଇଛି। ମାତ୍ର ଉକ୍ତ ଜମିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନଥିବାରୁ ଉକ୍ତ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଆଧୁନିକ ଔଷଧ, ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ପାର୍ଶ୍ଵପ୍ରତିକ୍ରିୟା ଥିବାରୁ ବର୍ତ୍ତମାନ ଏକ ସୁସ୍ଥ ଜୀବନ ପାଇଁ ସଚେତନ ଲୋକମାନେ ଆର୍ୟୁବେଦିକ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି କିନ୍ତୁ ଆବଶ୍ୟକ ଚିକିତ୍ସକ, ଚିକିତ୍ସାଳୟ ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଏହା ଫଳପ୍ରଦ ହୋଇପାରୁନାହିଁ।

ରାଜ୍ୟର ମାତ୍ର ୩ଟି ସରକାରୀ ଓ ୨ଟି ଘରୋଇ ଆର୍ୟୁବେଦିକ ମହାବିଦ୍ୟାଳୟରୁ ବର୍ଷକୁ ପ୍ରାୟ ୧୦୦ ଡାକ୍ତର ବାହାରୁଥିବା ବେଳେ ଉକ୍ତ ମହାବିଦ୍ୟାଳୟଗୁଡ଼ିକ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅବସ୍ଥାପିତ ହୋଇଥିବାରୁ ଉତ୍ତର ଓଡ଼ିଶାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଆର୍ୟୁବେଦିକ ତଥା ହୋମିଓପ୍ୟାଥିକ୍‌ ପାଠ ପିବାରୁ ବଂଚିତ ହେଉଛନ୍ତି। ତେଣୁ ଉତ୍ତର ଓଡ଼ିଶାରେ ମଧ୍ୟ ଏକ ଆର୍ୟୁବେଦିକ ମହାବିଦ୍ୟାଳୟ ସ୍ଥାପନ କରାଯିବା ନେଇ ସରକାର ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର